Unknown

 

 

 

 

 

 

 

 

 

 

 

ପୂର୍ବଦିଗ

ଶ୍ରୀ ନୃସିଂହ ପ୍ରସାଦ ତ୍ରିପାଠୀ

 

 

 

 

 

 

 

 

 

 

 

 

 

ମୋ ଜୀବନର ପରମ ବଂଧୁ (୰) ବାପାଙ୍କୁ...

 

ସୂଚୀପତ୍ର

 

୧.

ସହରର ମୃତ୍ୟୁ ସଂଖ୍ୟା

୨.

ଜୀବନର ଅନ୍ୟ ଛବି

୩.

ସାରାଦିନ ଏକା ଏକା

୪.

ଆସ ଏଥର ଯିବା

୫.

ପ୍ରଭାତର ପ୍ରଥମ ପର୍ବ

୬.

ଖରାଦିନ ବର୍ଷାର ସୌନ୍ଦର୍ଯ୍ୟ

୭.

ଶବ ଶୋଭାଯାତ୍ରା

୮.

ସ୍ୱର : ସତ୍ତ୍ୱାଧିକାର

୯.

ତ୍ରିଭୁଜ

୧୦.

ରଥଯାତ୍ରା

୧୧.

ପୂର୍ବଦିଗ

୧୨.

ଅନ୍ୱେଷଣ

୧୩.

ନିଜେ, ପ୍ରତିଧ୍ୱନି

୧୪.

ଅନ୍ୟ ମନ, ମନାନ୍ତର

୧୫.

ତମ ସହ ତିନି ଦିନ

୧୬.

ରେଳ ଉପରୁ ଚିଲିକା ଦର୍ଶନ

୧୭.

ଅଭିଲିପ୍ସା

୧୮.

ନିର୍ଜନ ନଦୀର ନାମ

୧୯.

ନଈରେ ଘର କୁମ୍ଭୀର ଡର

୨୦.

ଉତ୍ତରାୟଣ

୨୧.

ଅନ୍ଧାର ରାତିର ଦୃଶ୍ୟ

Image

 

ସହରର ମୃତ୍ୟୁ ସଂଖ୍ୟା

 

ସହରକୁ ମୃତ୍ୟୁ ଆସେ ସକାଳର ଦୁଧବାଲା ପରି

ମୃତ୍ୟୁ ଚାଲେ ସମୟର ଅରମାରେ ନିୟମିତ ଝାଡ଼ୁ ମାରି ମାରି ।

ମୋ ବାପା କହଂତି; ହେଇ, ମୃତ୍ୟୁ ମାନେ ଆଜି ଆସି

ତତେ ଦେଖୁଥିଲେ, ତୁ ଶୋଇଥିଲୁ ଖୁବ୍ ନିଘୋଡ଼ ନିଦରେ ।

(କାରଣ ମୁଁ ସବୁଥର ବିଳଂବରେ ଜୀବନକୁ ଚିହ୍ନେ ।।)

ମୃତ୍ୟୁମାନେ ଚାଲିଯାଂତି; ସବୁଦିନେ ମୋ ଉଠିଲା ଆଗୁ

ତେଣୁ ମୁଁ ହଜିଯାଏ ଚମତ୍କାର ମୃତ୍ୟୁର ଚିଂତାରେ

କାରଣ ସେମାନେ ସିନା ମୋ ଆଶାକୁ କରଂତି ସୁଂଦର

ସେମାନଂକୁ ଦେଖିବାକୁ ମୁଁ ସିନା ବେଶ୍ୟାପଡ଼ା ଖୋଜି ଖୋଜି ବୁଲେ,

ପାଇବାକୁ ମୃତ୍ୟୁ ଶିହରଣ, ଜାଳି ଦେଇ ଭଂଗା ଆର୍ସି ପରି

ପୃଥିବୀର ସମସ୍ତ ଦହନ । କିଂତୁ ମୁଁ କ୍ଲାଂତ ହୁଏ ।

ପ୍ରେମିକାର ଫଟୋ ନଷ୍ଟ ହୁଏ ଖାଇ ଖାଇ ଅସଂଖ୍ୟ ଚୁଂବନ ।।

ମୃତ୍ୟୁକୁ ଚିହ୍ନିବା ଆଗୁ, ସେ ଯାଏ ଆଖିର ପଛକୁ

ଥରେ ଲାଗିଯିବା ପରେ, ପୁଣି ଯେମିତି ଘୁଂଚିଯାଏ,

ସହଯାତ୍ରିଣୀଂକ ହାତ, ପାର୍ଷ୍ୱବର୍ତୀ ସ୍ତନ ।

ତା’ପରେ ଛୋଟିଆ କମା ସମୟରେ କିଛି କିଛି

ସଜଡ଼ା ସଜଡ଼ି, ଦେହ ଲୁଗା ଆଖି ଏବଂ ଉଡ଼ୁଥିବା ମନକୁ ତାଗିଦ୍-

ମୃତ୍ୟୁର ଶୀହରଣ ମରିଯାଏ, ରାତିର ବାଦୁଡ଼ି ହୋଇ

ଜୀବନରେ ଧକ୍‍କା ଖାଇ, ବଂଚିବାର ଆଶଂକାରେ ଓହଳି ଓହଳି ।।

ମୃତ୍ୟୁ ହୋଇ ଯାଏ ପ୍ରେତ । ଆସେ ସେ ପୁଣି ମୋ ପାହାଂତା

ନିଦ ଜରିଆରେ, ସମୟର କାଠ ଘୋଡ଼ା ଚଢ଼ି,

ସମୟର କାଠ ଠକ ଘୋଡ଼ା, କାରଣ ସମୟ ନିଜେ

ଶୋଇ ରହେ ନିର୍ଲିପ୍ତ ଭାବରେ ଗତି ଶାଂତ ଅ-ସୀମତାରେ ।।

ମୁଁ ସ୍ୱପ୍ନ ଦେଖେ । ସହସ୍ର ମୃତ୍ୟୁକୁ ମୁଁ ପିଇଯାଏ

ସମୟ ଓ ନିଜକୁ ମିଶାଇ, ଖରାଦିନ ସଂଧ୍ୟାବେଳେ ମୁଁ ଯେମିତି

ପିଉଚି କି ଭାଂଗ-

କାରଣ ମୋ ଚାରିକଡ଼େ ଅହରହ ସଂକୀର୍ତନ

ଆଶା ଏବଂ ଆକାଂକ୍ଷାର ବାଜୁଚି ମୃଦଂଗ ।।

କେଉଁ ଆଡ଼େ ଯିବା ଲାଗି, ଏତେ ଚଂଚଳତା

ଏତିକି ପ୍ରସ୍ତୁତି, ପାହାଡ଼ ନା ସମୁଦ୍ରର ଅତଳ ତରଂଗ,

ମୋ ଦେହରେ ବିଷ ମିଶେ, ବଂଚିବାର ବିଷ,

ମୃତ୍ୟୁ ତେଣୁ ମରିଯାଏ, ମୃତ୍ୟୁ ହୁଏ ସାତ ନୀଳ ରଂଗ ।।

ମୁଁ ସ୍ୱପ୍ନରୁ ଉଠି ଆସେ । ବାପା ମତେ ଉଠାଂତି, କହଂତି,

ଦେଖ୍, ଦେଖ୍, ମୃତ୍ୟୁମାନେ ଚାଲିଗଲେ ଏଇଖିଣା ଏଇବାଟ ଦେଇ

ମୁଁ ଚିତ୍କାର କରେ, ହେ ସମୟ ଠିଆ ହୁଅ ! ବୁଲନାହିଁ

ନିଜକୁ- ହିଁ କେଂଦ୍ରକରି, ଗ୍ଲୋବ୍ ପରି, ମୋ ଭିତରେ,

ଅସୀମତା ଆକାଶ ଭିତରେ । ତେଣୁ ଯେତେ ଆବର୍ତନ

ସୃଷ୍ଟିର ବୃତ୍ତାକାର ଘୂର୍ଣି, ଅଂଧାର ହିଁ ପୂର୍ଣ୍ଣ କରେ

ଯେଉଁଠାରେ ସୀମା ଶେଷ ହୁଏ ।

ସମୟ ଆଲୋକ ହୁଏ ଅସୀମତା ମହା ଅଂଧାରର

ରାତିର ଛାଇକୁ ଏଠି କୁହାଯାଏ ଦିନ,

ମୃତ୍ୟୁର ଛାୟାକୁ ଲୋକେ କହଂତି ଜୀବନ,

ଏବଂ ସେଠାରେ, ମୁଁ, ମୋ ବାପା, ମୋ ବୋଉ,

ପୁଣିଥରେ ଏକ ହୋଇ ଏକକରେ ମିଶୁ ।

ମୋ ବାପା ଚେତାଂତି, ମତେ ଥାଉ ଥାଉ, ଜୀବନକୁ ଦେଖ୍,

ବୋଉ ଡାକ ଦେଲା ପରି ପ୍ରେମ ଚିଠି ଅଧା ପଢ଼ା ବେଳେ ।।

ମୁଁ କିଂତୁ ଫେରିଯାଏ, ଫିଂଗି ଦେଇ ନିଜକୁ ଅନେକ ଥର

ମହାଶୂନ୍ୟତାକୁ, ଯେଉଁଠାରେ ମୋର ସାରା ଅବୟବ ଜଣାଯାଏ

ଲଂବା ରାତି ପରି, ମୁଁ ଖୋଜେ ମୋ ନିଜକୁ ଲୋକାରଣ୍ୟ ବଜାର ଭିତରେ ।

ନିହିତ ଶକ୍ତିକୁ ଦେଖି, ଦେଖିପାରେ ନାହିଁ ।

(ତମ କୋଠା ପଥରରେ କେତେ ଶକ୍ତି ଅଛି, କେବେ ତମେ ଦେଖିଚ ଆଖିରେ ।)

ମୁଁ ନିଏ ସର୍ବ ଶେଷ ଜନ୍ମ,

ନିଜର କାନରେ ମୁଁ କହିହୁଏ ମୁଁ ଶିବ...ମୁଁ ଶିବ...,

ମୋ ବେକରେ ମହାକାଳ ଝୁଲେ, ସୀମାହୀନ ଲଂବା ସାପ ପରି

ମପାଯାଏ ସମୟ ଓ ସ୍ଥାନ ଦ୍ୱାରା,

ଯେଉଁଠି ସଚେତନ ହୁଏ ବର୍ତମାନ,

ମୁଁ ହୁଏ ଏକ ବୋଧହୁଏ, ଅଜ୍ଞାତ ଜୀବନ ।।

ସହରରୁ ମୃତ୍ୟୁଯାଏ, ପୁଣି ଫେରିଯାଏ,

ମତେ ନେଇ ସଂଧ୍ୟାବେଳେ, ନିର୍ଜନ ରାସ୍ତାରେ

ବୁଢ଼ାଟିଏ ବାଡ଼ି ଠୁକ୍ ଠୁକ୍ କରି ଚାଲିଯାଏ,

କେଉଁଆଡ଼େ ଯାଏ.... ?

ଏଇମୋର ସ୍ୱୟଂପୂର୍ଣ୍ଣ ତୀର୍ଥଯାତ୍ରା,

ଅସ୍ତ ହେଉ ହେଉ କିଏ ବୁଣିଯାଏ ଉଦୟର ରାଗ,

ଭଂଗା ଭଂଗା ମୃତ୍ୟୁକୁ ମୁଁ ପ୍ରତିଦିନ ଯୋଡ଼ିଯାଏ,

ଜୀବନର ଅଠା ଦେଇ, ମୃତ୍ୟୁର ଧଳା ଚଦର ନଷ୍ଟ ହୁଏ

ଲାଗିଯାଇ ବଂଚିବାର ଲାଲ୍ ରକ୍ତ ଦାଗ ।

ତେଣୁ ମୋର ମନ ଚାଲେ, ଏଇ ମୋର ଥକାମନ,

ଚକାଡ଼ୋଳା ଦେଖିବାକୁ, ଖରାଦିନ ଗମ୍ ଗମ୍ ଝାଳ ହୋଇ

ଧୂଳି ରାସ୍ତା ଦେଇ, ଆଉ କେବେ ସମୁଦ୍ରର ସୂର୍ଯ୍ୟ ହୋଇ

ଆକାଶର ମାଛ ଭାବେ ପହଁରି ପହଁରି,

ମନାଚାଲେ ଜୀବନର ବଣରେ ଶିକାରୀ ।।

ଏଠିକାର ଜୀବନରେ ମତେ ଲାଗେ, ମୁଁ ଯେମିତି ବଂଚିରହେ

ମରଣର ପ୍ରକ୍ସି କରି କରି, ମୁଁ ପାଗଳ ହୋଇଯାଏ

ସବୁଦିନ ମୋ ନିଜ ଜୀବନ ସତ୍ତାକୁ

ଛୁଆପରି ମୋ ଗୋଡ଼ରେ ଖେଳାଇ ଖେଳାଇ ।।

ତେଣୁ ମତେ ଦିଅ କିଛି ନୀରବତା ଦୀର୍ଘ ବିରହର

କେବଳ ଏକାକୀ ଲୁହ, ଏ ହସର ଗହଳି ଭିତରେ,

ଯେଉଁଠି ମୁଁ ରଖିବି ଲୁଚାଇ, ମୋ ଛାତିର ଅସଂଖ୍ୟ ଶୂନ୍ୟତା

ନିରାଶାର ଛାଇ ଡେଇଁ ଡେଇଁ ।

ଯେଉଁଠି ନଥିବ ସ୍ୱପ୍ନ ଖଂଡ଼ା ଧାର ପରି

ଯେଉଁଠି ନଥିବ କ୍ଲାଂତି,

ସକାଳର ନିୟମିତ ଗାଢ଼ ନିଦ ପରେ

ପ୍ରବୃତ୍ତି ନଥିବ

ବାରବୁଲା ଯାଯାବର ମନକୁ ଜାବୁଡ଼ି ।

ସମୁଦ୍ର କୂଳରେ ବୁଲି କେବେ ଯଦି ଦେଖ ସମୁଦ୍ରକୁ–

ସେ କଣ ଲୁଣି ପାଣି, କିଛି ବାଲି, ଉତୁଂଗ ଲହରୀ..... ???

ସେ ଏକ ସମୁହ ଦୃଶ୍ୟ, ସମୁଦ୍ରର, ଗୋଟିଏ ସମଷ୍ଟି ।

କାଲି ଜଣେ ମରିଗଲେ ହୃତ୍କ୍ରିୟା ବଂଦହେବା ଯୋଗୁଁ,

ଆଉ କାର ମୃତ୍ୟୁ ହେଲା ଦୁର୍ଘଟଣା, ନଈ ପହଁରାରେ-

ସେଗୁଡ଼ିକ କଣ ମୃତ୍ୟୁ..... ??? କାରଣ ମରିବା ସଂପୂର୍ଣ୍ଣ ପୃଥକ

ମୃତ୍ୟୁଠାରୁ, ବାଲି ଏବଂ ଲୁଣି ପାଣି ଯେମିତି ଅଲଗା ସମୁଦ୍ରର ସମୂହ ଦୃଶ୍ୟରୁ ।

ମୃତ୍ୟୁ ତେଣୁ ହୁଏ ଦୃଶ୍ୟ,

ଏକ ବାଦ,–ବଂଚିବାର ସହାୟକ,

ଗୋଟିଏ ନିୟମ ।।

Image

 

ଜୀବନର ଅନ୍ୟ ଛବି

 

ରାତିତକ ସରୁଥିବା ବେଳେ,

ସକାଳର ଅବର୍ତମାନରେ,

ମୁଁ ଅଚେତ ହୋଇଗଲି ଦିନେ ।।

ପବନ କଢ଼ାଇନେଲେ, ରାସ୍ତା ମତେ,

ଫାଂକା, ଫାଂକା ଝାଂଜି ମାଟି ଜଳ ଓ ବାୟୁରୁ

ମିଳିତ ଜୀବନଠାରୁ । ଶୂନଶାନ ଘରଠୁ ଦୂରକୁ ।

ବର୍ଷା ଛାଡ଼ି ଯାଇଥିଲା, ବହୁଦିନୁଁ ବସିଥିବା

ଧୂଳି ସବୁ ଝାଡ଼ି ଦେଇ ଗଛଂକ ଦେହରୁ ।।

ଆଗ, ଆଗ, ମୁଁ ମନା କଲି ।

ନା’, ନା’, ସତେ ତୁ ନେଇ ଯାଆନା’ରେ ପବନ

ଦେଖୁନାହୁଁ ମୁଁ ଏଠାରେ ନାରଖାର କେତେକାଳଠାରୁ

ମୋ ହାତ ଧରିଚି ଏକ ଭିକ ମଗା ମନ ।

ଛାଇ ସବୁ ଘନୀଭୂତ, କେତେବା ସମୟ

ଘାସ ଆଗ ପରି ଜୀବନରେ, କାକରର ବିଂଦୁଟିକୁ ପାଳିବା ସଂଭବ ??

କେମିତି କରିବି କହ ସ୍ତୁତିଂକୁ ବାସଂଦ ??

ଜୁଳୁ ଜୁଳୁ ଚାହୁଁଥିବା ଭବିଷ୍ୟତ ପିଲାଟିକୁ

ଅନାବଶ୍ୟକ ବିଲେଇ ଛୁଆ ପରି ଛାଡ଼ି ଦେବି

ଦୂର ଜଂଗଲରେ, ଇଚ୍ଛାଂକୁ ପୋତି ଦେବି

ଅବୈଧ ସଂତାନର ମୃତ ଦେହ ଭାବି

ନିଛାଟିଆ କେନାଳ କୂଳରେ ।।

ଚେଷ୍ଟାଂକୁ କହିବି ସବୁ ଫେରିଯାଅ, ଆଜିଠାରୁ

ଛୁଟିଦିନ ଶ୍ରମିକ ମାନଂକ, କାରଖାନା ଫାଟକରେ

ଝୁଲୁଅଛି ‘ପ୍ରବେଶ ନିଷେଧ’-; ଆହରଣ ପ୍ରାପ୍ତିର

ଉପାୟଂକୁ ଦେବି ଏକ ସୁଦୀର୍ଘ ନିଶ୍ୱାସ ।।

ସେ ଏକ ବଂଚିବା ହେବ, କେବଳ ବଂଚିବା,

କାହାର ଅପେକ୍ଷା ନାହିଁ, ପାହାଚ ଚଢ଼ିବା,

ଅହରହ ଘଂଟା ଦେଖି ବ୍ୟସ୍ତ ଲୋକଟିଏ,

ମିଶିଯିବ କ୍ଷଣକେ ଶୂନ୍ୟରେ ।।

ମଧ୍ୟ- ଆକର୍ଷଣ ପରିସର ବାହାରେ । ଦୂରରେ

ପାହାଡ଼ ଲାଗିବ ଯେମିତି ହାଲ୍କା ଫୁଲଟିଏ

ତଳକୁ ଟାଣିବା ଲାଗି ପୃଥିବୀର ହାତ ପାଉ ନାହିଁ,

ବର୍ଷାଦିନ ଖରାପରି, ଦୋ ଦୋ ପାଂଚ ହଂତସଂତ ନାହିଁ ।।

ଆଖିକୁ ଫେରାଇ ଦେବି, ଦୃଶ୍ୟକୁ ଓ କାନକୁ ଶବ୍ଦକୁ,

ଘ୍ରାଣଶକ୍ତି ମିଶିଯିବ ଗଂଧର ଦେହରେ

କହିବା କ୍ଷମତା ହେବ, ପରିଣତ କେବଳ ଭାବରେ ।

ସ୍ୱର୍ଗ-ସୁଖ-ଜନିତ ଯଂତ୍ରଣାଂକୁ ଦେବି ନିଜ ହାଡ଼ର ସମଷ୍ଟି

ଫେରୁଥିବା ରକ୍ତର ପ୍ରବାହକୁ ନିଗାଡ଼ିବି ପୁରୁଷାକାରରେ ।।

ତା’ ପରେ ମୁଁ ସ୍ୱରଟିଏ..... ।

ଅନାସକ୍ତ ନଗାଇବା, କାହା ଗାଇବାରେ,

ତା’ ପରେ ମୁଁ ଶ୍ରଦ୍ଧାଟିଏ...... ।

ଉଲ୍ଲସିତ ହସ, ହସ, ବିଂଦୁ, ଝଟକୁଚି ସର୍ବଦା ଉର୍ଦ୍ଧ୍ୱରେ ।।

Image

 

ସାରାଦିନ ଏକା ଏକା

 

ଆଜିଠାରୁ ଆଉ ତମେ ଲେଖନାହିଁ, ବିରହରେ,

ପ୍ରଣୟ ପତ୍ରିକା, ପ୍ରିୟତମ ହେବା ଲାଗି ଋତୁଶେଷ,

ଆଜି ସବୁ ଲାଗେ ଖାଲି ଖାଲି, ମୁଖାଗ୍ନି ଦେବାପରେ

ବହୁଦିନୁଁ ଝୁଲୁଥିବା ଶୁଖିଲା ଆକାଶରୁ ଛୋଟ ବଡ଼

ମୃତ୍ୟୁର ଛାଇଂକୁ; ମଂଦିରରେ ଝୁଣା ବାସ୍ନା ନାହିଁ,

ଶ୍ମଶାନରେ ପ୍ରେତଂକର ନାହିଁ କୋଳାହଳ,

ଦେହ ହୁଏ ମାଂସ ରକ୍ତ କଂକାଳ ପଲଂକ

ମନ ଯେଣୁ ମନା କରେ–

ହେବା ପାଇଁ ପ୍ରାରବ୍ଧର ସ୍ମରଣ–ନାୟକ ।।

ଆଜିଠାରୁ କିଏ ମାଗେ... ? ଆଜିଠାରୁ କାହାର ଉଦ୍ଧାର... ??

ଆକାଶରେ ମେଘନାହିଁ, ତେଣୁ ବରଷାକର

ଜରି ବିଂଚି ବିଂଚି, ସୃଷ୍ଟି ହରାଇଚି ଯେଣୁ

ସଂରକ୍ଷଣ କରିବାର ଇଚ୍ଛା, ଅତୀତର ନାଲିନେଳି ଶାମୁକାକୁ

ଏବଂ ଅବିକା ଜଳୁଥିବା ନିଆଁକୁ

ଓ କାଲିର ଯୋଜନା ଦେଇ ଅନେକ ସଖାଂକୁ

ବଦଳାଇ ବାରଂବାର ଜୀବନର ଯେତେ ଭଡ଼ାଘର,

ଛୁଟିଥିବା ସ୍କୁଲ ଘରେ ଆଶ୍ରିତ ଗାଈଟି ପରି

ବିଶ୍ୱାସର କ୍ଷୀଣ ଶୁଭେ ସ୍ୱର

ଏଠାରେ ବୁଣିବା ଯୋଗୁଁ ଅଯଥା ସଂଦେହ

ସବୁଠାରେ ଅନୁମାନ, ସବୁଠାରେ ଚର୍ଚା ବିଦ୍ରୋହର ।।

ସଂଦେହ ଦେହରୁ ଜାତ,

ପାଣି ଢାଳି କ୍ରମାଗତ ଅନେକ ମନର,

ତେଣୁ ନାହିଁ ମଂଦିରରେ ଝୁଣା ବାସ୍ନା

ଠାକୁରଂକ ହାତ ତେଣୁ ଭଂଗା, ଚଂଦନର ରଂଗ ହୁଏ କଳା

ଦେବୋତ୍ତର ଜମିପରି ମୁଁ ଶୀକାର

ସ୍ୱାର୍ଥପର ପୂଜାରୀର ଖଳା ।।

ଏଠାରେ ଅନେକ ଭିଡ଼, ସଚେତନ କରିବାକୁ କି ଆଗ୍ରହ

କେତେ ବାବା, କେତେ ଗୁରୁ, କେତେ ଯେ ଆଶ୍ରମ

ଏତେ ସଭା, ଏତେ ସଂସ୍ଥା, ଏତେ ଦୀକ୍ଷା, ଏତେ ଯଜ୍ଞ

କୁଂଡ଼ଳିନୀ କଥା–

ଦଳ ଦଳ ମେଣ୍ଢା ପଲ ପରି ମଣିଷଂକ ଅସଂଖ୍ୟ ଜୁଆର

ଦେଖା ନାହିଁ କିନ୍ତୁ ମଣିଷର ।

ତେଣୁ ଆସ, ନଦେଖିଲା ଲୋକେ ଆସ, ଦେଖ,

ପେଟମାରୁଥିବା ଲୋକ ମୁହଁ ଭଳି ଏ ସଂସାର ହେଉଚି ଅତିଷ୍ଠ

ସମସ୍ତ ଠକାମି ଯୋଗୁଁ କଇଁଛ ଶୋଇଚି

ଚେତନା-ପୁରୁଷ ଆଉ ଟେକୁ ନାହିଁ ବେକ ।।

ତେଣୁ କାହିଁ ସେ ଆନଂଦ... ? ଅବ୍ୟକ୍ତ ଆନଂଦ... ??

କେଉଁଠାରେ... ? କେଉଁଠାରେ...? କେଉଁଠାରେ ଆଶା ମିଳିବାର

କିଏ ଦେବ... ? କିଏ ନବେ ଭିକ୍ଷା... ??

କିଏ ସେ କରିବ ଆଜି ପ୍ରାରବ୍ଧର ଏ ଶବ ସତ୍କାର

ସଂଶୋଧନ ନାହିଁ ଯଦି ଲୋକ ଚରିତ୍ରର ।।

ତେଣୁ ମନ ମନାକରେ ହେବା ପାଇଁ ସ୍ମୃତିର ନାୟକ

ମନ ଚାଲେ ଫେରି ଫେରି ଓଲଟା ଗଛକୁ

ଲୋଟଣି ପାରାକୁ କୁହ ରହିବାକୁ, ଏ ଗଛରୁ ଉଡ଼ିବା ପୂର୍ବରୁ

ମୁଁ ଦେଖିବି ବ୍ରହ୍ମାଂଡ଼ର ଖେଳ, ଏ ପିଂଡ଼ରୁ

ନିଜର ସର୍କସ ନିଜେ ଦେଖୁଥିବି ଭଂଗା ଗ୍ୟାଲେରୀରୁ ।

Image

 

ଆସ, ଏଥର ଯିବା

 

ଆଜି ଆଉ ଯିବା ଲାଗି କୁହନାଇଁ,

ଫେରୁଥିବା ସମୟ ସହିତ,

ଆଜି ଦିନ ଶେଷ ଦିନ,

ତମ ଓଠ ସମୁଦ୍ର କୂଳରେ, ତମ ହସ ଲହରୀରେ

ବାକିଥିବା କେତୋଟି ନିମିଷ ଉଦ୍ଜୀବିତ ହେଉ ।

ଆଜି ଏହା ଶେଷ ଥର,

କେବଳ ଆଜିକ;

ଧୋଇ ଯାଉ ବଂଚିବା ଓ ମରଣର ଅପ୍ରମିତ ଦୁଃଖ ।।

ସବୁଲାଗେ ଛାଇ, ଛାଇ ସବୁ ଭୟାତୁର

ସବୁ ଯେମିତି ଶୂନ୍ୟ-ଗରଭ, ଅଧରାତି ବେଳେ

ଫାଂକା ଡାକ ପରି, ନିଛାଟିଆ ପହରା ବାଲାର ।

ନିମଗ୍ନ ଥିଲାବେଳେ କେବେ ତମ ଆଲିଂଗନ ଉଷୁମ ନଦୀର

କିଂବା କେବେ ମୁଲାଏମ ତମ ସ୍ତନ ଅଗ୍ର

ସୃଷ୍ଟି କଲା ବେଳେ ଏକ ରଂଗ ମାଟି ଭିଜା ଶିହରଣ

ମୋ ଦେହର ବିଭିନ୍ନ କୋଣରେ

ମୁଁ ଅତିଷ୍ଠ ହେଇ ଉଠେ ସେଇ ଶୂନ୍ୟତାରେ

ସର୍ବଦା ଯେ ଲାଗିଚି ପଛରେ ।।

ସେ ଏକ ଅଜବ ଦୁଃଖ, କଳିହୁଏ ନାଇଁ

ତା’ର ଗଭୀରତା ଏବଂ ପ୍ରସାରଣ କେତେ

ତା’ର କାରଣ କ’ଣ ? ସେ ଜନ୍ମେ କେଉଁ ଅଭାବରୁ ।।

ମୁଁ ଯେମିତି ରହିଯାଏ, ହାହାକାର କଂଟାର ଶେଯରେ

ଗାଁ ମୁଂଡ଼ ମଧ୍ୟାହ୍ନର ଟାଉଁସିଆ ଖରାପରି

ଅହେତୁକ ସେଇ ନିର୍ଜନତା, ମତେ କରେ ବିଦ୍ଧ

ବାପ ମରିଯିବା ବେଳେ,

ଅସହାୟ ଭାବରେ ଅନାଥ, ବଂଚିବାର ପ୍ରତି ମୁହୂର୍ତରେ ।

ଖାଲିଥିବା ଶୂନ୍ୟତାକୁ କିଏ କହ କରିବ ପୂରଣ,

ଆଉ ଆଶା ନାହିଁ,

ବାକିଥିବା ବର୍ଷର ଇଟ୍ଟାରେ

କରିବାକୁ ପୁଣି ଏକ ଜୀବନର ନୂତନ ନିର୍ମାଣ ।।

ଆଖି ଅଛି ଦିଶୁନାହିଁ । କାନଥାଇ

କାହିଁ ମତେ କିଛି ଶୁଭୁ ନାହିଁ ।

ଦେହ ଅଛି ଅନୁଭୂତି ନାହିଁ,

ସବୁ କଣ ଅଂତସାର ଶୂନ୍ୟ–

ତମ ଉପସ୍ଥିତି, ଦୂରଂତ ଘୁଂଗୁରର ଶବ୍ଦପରି

ଝାପ୍ସା ଶୁଭେ, ଆଉ କହେ ନାଇଁ

ଏ ଜୀବନ କେବଳ ଆମର,

ଆସ ତାକୁ କରିବା ପ୍ରଣାମ ।।

ଆଜି ଆଉ ହସ ନାହିଁ । କଷ୍ଟ ହେବ ।

ହସରେ ବି କଷ୍ଟ ଅଛି । ଓଠକୁ କାଟିବ ।

ଆସ, ଏଥର ଯିବା, ତମ ପ୍ରସ୍ଥାନରେ

ତମ ପ୍ରେମ ହୋଇଯାଏ ଅଧିକ ନିବିଡ଼,

କୋଇଲିଟି ଗାଉଚିକି, ଦିନ ଭାବି ଜହ୍ନ ଆଲୁଅରେ

ମୁଁ କରେ ନିଜ ଶ୍ରାଦ୍ଧ ଏକାକୀ ଏଠାରେ ।।

ସାମରିକ ଶାସନରେ ପୀଡ଼ିତ ରାଜ୍ୟର

ରାଜନୈତିକ ବଂଦୀର ଅନିଶ୍ଚିତ ଜୀବନ ଅପେକ୍ଷା,

ମୁଁ ଅଧିକ ନିର୍ଯ୍ୟାତିତ–

କାରଣ ସକାଳ ହେଲେ, ମୁଁ ଚଢ଼େ ଫାଶୀର ଅର୍ଗଳି

ପ୍ରତି ଥର ନୂଆ ଉପାୟରେ ।।

Image

 

ପ୍ରଭାତର ପ୍ରଥମ ପର୍ବ

 

ସେହିକ୍ଷଣ ସମୟରେ ଧୋଇ ଧୋଇ ଆସେ,

କେବେ ମୋର ଜାଣିବାରେ,

କେବେ ପୁଣି ନିଜ ଅଜାଣତେ ।।

ଦୂର ପାହାଡ଼ରେ ବର୍ଷାର ସଂକେତ ପରି

ତା’ର ଆସିବା ଓ ପହଂଚିବା ଅନେକ ପୂର୍ବରୁ

ମୁଁ ସୂଚନା ପାଏ-

ପବନରେ, ଖରାରେ, ଓ ଅଧା ମରା କୋଳିଗଛଟିରେ

ସେ ଆଭାସ ପରବର୍ତୀ ଅଳ୍ପ ସମୟରେ

ମୁଁ ନିଜେ ନିଜକୁ ହଜାଏ ।।

ସେ ମୁହୂର୍ତ କଥା କୁହେ

ପୁଣି ତା’ର ଶବ୍ଦ ହୀନ ଭାବ,

ବୁଝାଇ କହିଲା ପରି

ଧୀରେ ଧୀରେ ଆସେ ଅନୁଭବ ।।

ସେ କ୍ଷଣର ଆବିର୍ଭାବ, ଆକସ୍ମିକ

କଦବା, କ୍ୱଚିତ ମୋର ଆଖି ବଂଦ କଲେ,

ମୁଁ ଦେଖୁଚି;

ସେ କ୍ଷଣଟି ଠିଆ ହୋଇ ଡାକୁଚି ଶ୍ରଦ୍ଧାରେ

ସକାଳର ଫୁଲଟିଏ ଦିଶୁଚି ସତେଜ

ଗଛର ଡାଳରେ ।।

ମୋ ସମସ୍ତ ବିକାରରେ ସେହିକ୍ଷଣ

କେବଳ ଆକାର-

ମୋ ସମସ୍ତ ପରାସ୍ତରେ,

ସେହିକ୍ଷଣ ଚିହ୍ନ ଜିତିବାର ।

ମୋ ଭିତର ଅନୁତାପ ଅଂଧାରରେ

ସେହିକ୍ଷଣ ଆଲୋକର ଜୁଡ଼ୁବୁଡ଼ୁ ଘର ।।

ସେ ଏକ ଆଲୋକ କ୍ଷେତ୍ର

ଛୋଟ ଥାଏ,

ବଡ଼ ହୁଏ,

ପୁଣି ଆପେ, ଆପେ,

ଚାହାଣିରେ ବ୍ୟଥା ତା’ର

ମତେ କେବେ ଆଉଁଷେ ଓ ମାପେ ।।

ଆଜି ପାହାନ୍ତାରେ;

ଇଚ୍ଛାର ସମଷ୍ଟିମାନେ ଯାଇଚଂତି ଶୋଇ

ଚେତନାରେ ସେ ମୁହୂର୍ତ ଆସେ

ବାରଂବାର,

ବାପ ପରି ମନଟିଏ ତା’ର,

କାନ ଫଟା ଶବ୍ଦ ହେଲା

ଖୋଲିଗଲା ମଂଦିରର ଦ୍ୱାର ।।

ସେ ଶବ୍ଦକୁ ବୁଝି ହୁଏ,

ସେ କଥା କହେ;

ଯାହାତ ମାଗିଲୁ ନେଲୁ, ଧନଜନ, କୋଠାବାଡ଼ି

ସ୍ତ୍ରୀ, ପିଲା, ଅନେକ ପ୍ରେମିକ,

ସବୁତକ ଆବୋରିଲୁ, ନିଜେଇଲୁ,

ଜାଣି ଜାଣି ବଢ଼ାଇଲୁ ଅଳିଆର ଚେକା ।।

ଉଛୁର ହେଲାଣି ବେଳ,

କେତେରେ ଖେଳିବୁ ଖେଳ,

ବୁଲୁଥିବୁ ବାହାରେ ବାହାରେ,

ଲେଉଟାଣି ବାଟ ତୋର ଚାହିଁ

ମୁଁ ବସିଚି,

ଦାଂଡ଼ପିଂଡ଼ା ତଳ ପାହାଚରେ ।।

ସେ କ୍ଷଣ ଡାକୁଚି ମତେ,

ଆ... ଆ......

ମୁଁ ତତେ ଚିହ୍ନିଚି;

ସବୁ ସତ୍ୟ, ସବୁ ମିଥ୍ୟା,

ଏଠାକାର ସମସ୍ତ ପ୍ରବୃତ୍ତି,

ଅପମାନ ପ୍ରବଂଚନା ପରେ,

ଆଉ ଏକ ଦେଶ ଅଛି,

ଆଉ ଏକ ଇଲାକାର ସ୍ୱାଦ ଅଛି,

ସେଇ ସ୍ଥିର ଆଚ୍ଛାଦିତ ସବୁଠାରେ

ଅଥଚ ଦିଶୁନି ।

ସେଠାକାର ମୁଁ ନିମିଷ,

ମୁଁ ପୁଣି ବିଶ୍ୱ,

ଆଖିର ପରିସର ବଢ଼େ,

ଜଗନ୍ନାଥ ବଢ଼ନ୍ତି କ୍ରମଶ ।।

ମୁଁ ଯିଏ,

ତୁ ସିଏ,

ଯେତେ ପ୍ରାଣୀ, ପଥର

ଉଦ୍ଭିଦ, ଭିନ୍ନ ଭିନ୍ନ ଜଣାଯାଏ

ଚମଡ଼ା ଆଖିରେ,

କିଂତୁ ମୁଁ–

 

ଖାଲି ମୁଁ–

ମୁଁ–ମୁଁ... ମୁଁ ସବୁଠାରେ ।।

Image

 

ଖରାଦିନେ ବର୍ଷାର ସୌଂଦର୍ଯ୍ୟ

 

ବର୍ଷାର ସୌଂଦର୍ଯ୍ୟ

ସେଥରକ ବର୍ଷା ହେଲା ।

ଓଃ, କି ଭୀଷଣ ବର୍ଷା ସେ କଥା କୁହନାଇଁ ଜମା,

ମେଂଚା, ମେଂଚା, ନିର୍ବାଚନ ପାଂପ୍ଲେଟ କିଏ ଯେମିତି ଝାଡ଼ି ଦେଲା

ଉଡ଼ାଜାହାଜରୁ, ଶୂନଶାନ ଗାଁ ବିଲ୍, ଲୋକାରଣ୍ୟ

ରାସ୍ତା ଘାଟ ଗଛର ଶିଖରେ ।

ସେଥରକ ବର୍ଷା ଥିଲା ଅବିରତ ଅସରା ଅସରା ।

ତିଂତିଲା ମୋ ଇସ୍ତ୍ରି କରା ପଂଜାବି ଓ ଧଳା ନିଶ ଲଂବା ପାଇଜାମା,

ସେଥରକ ବର୍ଷା ଥିଲା ଉଦ୍ବେଳିତ, ଅନ୍ରଗଳ,

ବିବାହ ବେଦୀରେ ବସି ପୁରୋହିତ କରୁଥିବା ମଂତ୍ରର ତର୍ଜମା ।।

ରାତିଟାରେ ବର୍ଷା ହେଲା ।

ପ୍ରକୃତିର ତ୍ରିଛକିରେ ଅସଂଭବ ଭାବରେ ଏମିତି,

ବାଘ ଦଳ ହେଂଟାଳରେ ଅଧାବାଟେ ମତେ ଓଗାଳିଲେ,

ସେ ବର୍ଷା କେଉଁଠି ଥିଲା ଆସିଲା ହଠାତ୍,

ଫିଂଗି ଦେଇ ଲୋଚା କୋଚା ଭେଳା ଭେଳା ମେଘ,

ରୁଗ୍ଣ ମାଆ ଫିଂଗି ଦିଏ ସାତ ସିଆ ତେଲିଆ କନ୍ଥାକୁ

ଉଠିପଡ଼େ, ଉପରକୁ ସତେ ଯେମିତି ଭେଟୁଚି ମୃତ ସଂତାନକୁ ।।

ତା’ପରେ କଚାଡ଼ି ପଡ଼େ, ସବୁଥର ପୂର୍ଣ୍ଣ ହୁଏ,

ଶେଷ ଥର ହୁଏ ।

ବର୍ଷା କଣ ସେତୁବଂଧ ଉତ୍ଥାନ ଓ ପତନ ଭିତରେ ?

ସୂର୍ଯ୍ୟର ପୁଂଡ଼ୁଚି ଯେମିତି ଆକାଶରେ ନିୟମିତ

ବାଲି ଜମା କରେ । ବର୍ଷା ଏକ କୁଳବଧୂ

ଆସକ୍ତିର ବାପ ଘରୁ ଭାବ-ମୟ ଶାଶୁଘର ଯାଏ,

ବର୍ଷା କଣ କାର୍ଯ୍ୟକାରୀ ସମନ୍ୱୟ ଦେହ ଓ ମନର

ଆତ୍ମାରୁ କି ଦେହ ଜାତ, ଏବଂ ପୁଣି ଦେହରୁ ଆତ୍ମାର...?

ଜନ୍ମ ଯେମିତି ଏକ ଭୂତପୂର୍ବ ମୃତ୍ୟୁ,

ମୃତ୍ୟୁ ଏକ କାରଣ ଜନ୍ମର, ବର୍ଷା ଏକ ଯୋଗସୂତ୍ର

ସଂପର୍କର ମୁଖ ବଂଧ ପ୍ରଥମ ସ୍ୱୀକାର ।

ବର୍ଷା ଏକ ହାଇଫେନ୍ ସ୍ଥିତି ଏବଂ ଗତିଶୀଳତାର

ଲଂବା ଏକ ଟେଲିଫୋନ୍ ତାର–,

ନର୍ଦମାରୁ ଗଂଗାକୁଳ ଯାଏ,

ଯେଉଁଠି ବସଂତି କେତେ ଯଂତ୍ରଣାର ମିଠା କୁହା ବଣି,

ଆଖିର ଅଲକ୍ଷେ ରହି ଉଜାଡ଼ଂତି ପାଚିଲା ଫସଲ ।।

ଏଠି ବର୍ଷା ଯାଯାବର ପ୍ରତିଦିନ ନୂଆ ଗାଁ ବୁଲେ,

ରିଫ୍ୟୁଜି ଫେରିବାଲା ମୁଂଡ଼େ ଧରି ପବନର ବୋଝେ ପାଣିକାଚ

 

ଅନାୟାସେ ସବୁଘରେ ପଶିପାରେ,

ହାତଧରେ, ହାତ କଂଟେ, ପିଂଧାଏ ତା’ କାଚ ।।

Image

 

ଖରାଦିନ

 

ହଁ, ସେଥରକ ବର୍ଷା କଥା କହୁଥିଲି ।

ଇସ୍, କି ରକ୍ତଶ୍ରାବ ବର୍ଷା, ତିତିଂଲା ବିଛଣା ମୋର

ନିର୍ଜନ କୋଠରୀ, ତିମି ମାଛ ଲାଂଜ ତା’ର ଦେଲା ପିଟି

ଦଦରା ନାଆର ମୁଁ ଏକାକୀ ନୋଳିଆ ପାଣିରେ ଭାସିଲି ।

ଭାସିଲା ମୋ ସହ ସବୁ ଯଂତ୍ରଣା ଓ ଅଧା ବୁଝାମଣା,

ଇତିହାସ ବହି ଆଉ, ପୁରୁଷତ୍ୱ ତ୍ରସ୍ତ ଚଂଦ୍ରସେଣା–

ସେ ଅତଳ ଜଳେ ମଧ୍ୟ ମୁଁ ଭାସିଲି–

ଲୁଣି ପାଣି ପିଇଲି ଓ ଅତଳେ ବୁଡ଼ିଲି,

କେବେ ପୁଣି ଉର୍ଧ୍ୱକୁ ଉଠିଲି ।

ଭାସିଲା ମୋ ସହ ସବୁ ଜ୍ଞାନ ଚର୍ଚା ଯେତେ ପରିକ୍ରମା

ଆଖି କାନ ମୁଁହଁରେ ହାତ ରଖି ଚାହିଁଥିବା ତିନୋଟି ମାଂକଡ଼

ହରାଇଲେ ନିଜର ଠିକଣା ।।

ସେଥରକ ସତେ କଣ ବର୍ଷା ହେଲା– ?

ଅବା ମତେ ଲାଗିଲା ଯେ ସିନେମାରେ ବର୍ଷା ଦୃଶ୍ୟ

ଦେଖୁଥିବା ଲୋକ ଇତସ୍ତତଃ ହୁଏ, ଆତ୍ମ-ବିଭୋରରେ

ମନେଭାବି ଯେମିତି ତା, ସିଟ୍ ତିଂତିଲାଣି ।

ବର୍ଷା ଯାଏ ସମୁଦ୍ରରୁ ଏବଂ ଫେରେ ନିଶ୍ଚୟ ସେଠାକୁ ।

ସବୁଠାରେ ସେଇ ସତ୍ୟ, ଯିଏ ଯାଉ ଯେଉଁଆଡ଼େ

ନିଶ୍ଚୟ ସେ ଫେରିବ ସେଠାକୁ, ଯେଉଁଠୁ ସେ ବାହାରିଚି ସର୍ବ ପ୍ରଥମରେ ।।

ପ୍ରସ୍ଥାନ ନିଶ୍ଚିତ ଯଦି, କ୍ଷଣ ସ୍ଥାୟୀ ଜୀବନ ଅପେକ୍ଷା,

ସମଗ୍ର ପ୍ରସ୍ଥାନ ମୋର ଆବଶ୍ୟକ-କାରଣତା ।

ଶୋଇ ନାହିଁ ଆଶାର କଂଟାରେ ।।

ତେଣୁ କଣ ସବୁ ବରଷା ??

ବର୍ଷା କଣ ଅଦାହ୍ୟ, ଅକାଟ୍ୟ, ମହିମାଂକ

ଅମୁହଁ । ଦେଉଳ, ଚାରିପାଖେ ବୁଲୁଥାଅ ମୂର୍ତି କେବେ

ଦେଖହୁଏ ନାହିଁ... ???

ବର୍ଷା ତେଣୁ ବର୍ଷି ଯାଅ ଅଂତର୍ଦ୍ୱଂଦ୍ୱ ମହାପାର୍ବଣରେ ।

Image

 

ଶବ ଶୋଭାଯାତ୍ରା

 

ନିଜ ଆଖି ସାମନା ହେଲେ,

ମତେଲାଗେ ମୁଁ ଦେଖୁଚି ଅକ୍ଷତ ଆକାଶ

ସଫା ଜହ୍ନ, ତାରାଂକର ଝାଉଁବଣ ନୀଳ ବାଲୁଚର ।

ମୋ ଆଖିର ସୀମା ଅଛି,

ତେଣୁ ଅଛି ରଂଗର ଆକାଶ ।

ମୋ ଆଖି ଅସୀମ ହେଲେ,

ମୁଁ ନାହିଁ; ଆକାଶ ବି କାହିଁ.... ??

ଆଖି ବାଂଧେ ଦୂରତ୍ୱକୁ–

ଜନ୍ମନିଏ ଆକାଶ ଆକାର

ଦିନ, ମାସ, ବର୍ଷ ବେଲୁନରେ–

ସମୟକୁ କଲା ପରି ମୂର୍ଖ ଅକ୍ତିୟାର ।।

ମୋ ସହ ସମୟ ଚାଲେ,

ଏବଂ ଚାଲେ ଅକ୍ଷତ ଆକାଶ,

ସବୁବେଳେ, ସବୁଠାରେ, ଚିହ୍ନାଲୋକ

ନର୍ଦମାରୁ ମଂଦିରକୁ,

କିଂବା ମୁଁ ଲୁଚିଚି ଦେଖ

ଆକାଶ ଓ ସମୟ ଭିତରେ

ମୋ ନିଜ ଆଖିରେ ମୁଁ

ଲୁଚିଯାଏ ନିଜ ସାମନାରେ ।

ନିଜଠାରୁ ମୁଁ କେତେ ଦୂର

କିଏ ମତେ କଂଦାଉଚି-

ମାରି ମାରି ଦ୍ୱଂଦ୍ୱର ପାହାର ।।

ମୋ-ଠାରୁ ଲଂବିଚି ଏକ

ସହରର ଶୁଖିଲା ସଡ଼କ

ଦୁଇ ପାଖେ ଗଛ ଧାଡ଼ି ଧାଡ଼ି,

ପ୍ରସ୍ତାବନା ଏବଂ ବିପରୀତ,

ମିଶି ହୁଏ ଏକ ପ୍ରସ୍ତାବନା

ପୁଣି ଆସେ ଅପର ପ୍ରସ୍ତାବ

ସୁଖ ପାଇଁ ମୁଁ ଚାଲୁଚି

କାଟି କାଟି ଏକ ପରେ ଏକ,

ଜନ୍ମୁଥିବା ରାବଣର ମୁଂଡ଼

ହଜିଥିବା ଜଗ୍ନ୍ନାଥ କେଉଁଠାରେ-

କେବେ ଆଶା ଦେଖା ମିଳିବାର

ଧାର ନେଇଥିବା ଏକ ଜୀବନରେ,

କ୍ରମାଗତ ବଢ଼ୁଥିବା ଅସଂଖ୍ୟ ଭିକାରି

ମତେ ନେଇ ହୁଅଂତି ଫେରାର୍ ।।

ଆକାଶ ମତେ ସଚେତନ କଲା ।।

ସତକୁ ଜାଣିବା ଆଗୁଁ

ଚିହ୍ନିବାକୁ ପ୍ରଥମେ ମିଛକୁ,

ମିଳନ ଜାଣିବା ପରି,

ବିରହର କଷ୍ଟ ଜରିଆରେ,

ନିରାକାର ଆକାଶକୁ ବୁଝିବାକୁ

ଆକାରରେ ଦୃଶ୍ୟମାନ ଆକାଶ ଭିତରେ ।

ହେ କେଶବ !

ଜାଣିବାକୁ ସଂଯମର ବୋଧ

ଅସଂଖ୍ୟ ରାଧାଂକ ସହ

ଦିନରାତି ମୁଁ ହେଉଚି ଦଗ୍ଧ ।

ଜାଣିବାକୁ ସୃଷ୍ଟିର ପ୍ରବଂଧ,

ମୋ ଆଖି ନିବୁଜ କର

ମତେ ତେଣୁ କରି ଦିଅ ଅଂଧ ।।

ତେଣୁ ମୁଁ କାଟୁଚି ଦାଢ଼ି–

ବାଂରବାର ଭଂଗା ଦର୍ପଣରେ

ସଭାଜନେ ଦେଖୁଂଚତି-

ନୀରବରେ ଅଂକ ପରେ ଅଂକ-

କେଉଁଠାରେ ଆରଂଭର ଶେଷ,

ଶେଷ କେବେ କରିବ ଆରଂଭ

ସମୟ ହଜିବ କେବେ–

ମତେ ନେଇ ଏକାକୀ ରାସ୍ତାରେ ।।

ମୁଁ ଏକାକୀ ଥିବି ଗଛମୂଳେ,

ପୋତି ଛତା ବିଛାଇ କଂବଳ

ମୋ ଆଗରେ ଚାଲୁଥିବ–

ଧାଡ଼ି ଧାଡ଼ି ଦସ୍ୟୁଂକ ଶଗଡ଼ ।।

ମତେ ଖୁବ୍ ଡର ଲାଗେ,

ନିଛାଟିଆ ବରଗଛ ମୂଳେ,

ନିର୍ଜନରେ କେହି ନାଇଁ, ହାହାକାର

ମୋ ପଛରେ ଶୁଖିଲା ଓ ବିଗତ ମାଟିର

ଆଗରେ ପାଦଚିହ୍ନ–

ଅଚିହ୍ନା ଭୟ ମାନଂକର

ମୁଁ ଏକାକୀ ଥରୁଚି ଲାଜରେ

ଖାଲି ଫିନାଇଲ ଟିଣ

ଝଡ଼ ପବନରେ ।।

ମୁଁ କେଉଁ କଳ୍ପନାରୁ ଜନ୍ମ ନେଲି

ଅସହାୟ ଭାବେ ନେଲି

ବସ୍ତୁ ଲୁଂଠନର, ମତେ ଲାଗେ

ମୁଁ ଯେମିତି ଚାଲୁଚି ଚାଲୁଚି–

ଶ୍ମଶାନରୁ ମଂଦିରକୁ

ଏବଂ ପୁଣି ଶ୍ମଶାନୁ ମଂଦିର

ନିଜ ଶବ ବୋହି ବୋହି

କାଂଧରେ କୋକେଇ ଓ ଗାଇ ମିଛନାମ

ନିଜର ଅନାମ-

ମୁଁ ଚାଲିଚି-

ଯେଉଁଠାରେ ସେଇଠାରେ,

ହଲିଲା ଖରାପରି

ଉଡ଼ୁଥିବା ପତ୍ରର ଛାଇରେ ।।

Image

 

ସ୍ୱର, ସତ୍ତ୍ୱାଧିକାର

 

ତମ ଦେହ–

ଖୋଲା ଦେହ,

ଇଟାମାଟି ଆଟୁଘର,

ଖରାଦିନ ଥଂଡ଼ା ଲାଗେ,

ଶୀତଦିନେ ଉଷୁମ ନରମ ।।

ତମ ଆଖି–

ଛୋଟ ଆଖି

ନଂଦ କୂଅ କଳାପାଣି

ପାଣିକୁ ଦେଖିଲେ ଦିଶେ

ନିଜ ମୁଁହ, ନିଜର ଶରୀର,

ତମ ଓଠ,–

ଭୁଲୁଥିବା କଷ୍ଟ ପାଠ,

ପଢ଼ିବାକୁ ମନ ହୁଏ ସବୁବେଳେ,

ଭୁଲିଯାଏ କିଂତୁ ବାଂରବାର ।।

ତମ ସ୍ତନ–

ଦେଉଳିଆ କରି ଅନ୍ନ

ସତେ କିଏ ବାଢ଼ିଚି ଥାଳିରେ;

ତମ ଅଂଟା–

ଓଜନ ନିର୍ଦେଶ କଂଟା

ଲୋଟଣି ଖାଉଚି କ୍ଷୀଣ

ହାତ-ଚାପ ମୃଦୁ ପବନରେ ।।

ତମ ମାଟି–

ନିଆଁ ଥିବା ଇଟାଭାଟି

ସବୁଦିନେ କାଲି କାଲି

ଅସଂଖ୍ୟ ‘ଉଚିତ’- ଜାହାଜ

ନିଜ ସହ ଧକ୍କା ଖାଇ ବୁଡ଼ଂତି ପାଣିରେ;

ତମ ରୂପ–

ସାଧନାର ଅଂଧକୂପ

ସ୍ମୃତିର ମଶାଣିରୁ ଫେରୁଥିବା

ଲୋକମାନେ,

ବସିଚଂତି ଜନ୍ମ ଅପେକ୍ଷାରେ ।।

ତମ ମନ–

ବଦଳିଲା ସଂବିଧାନ,

ଅନିଶ୍ଚିତ ଦଳ ରାଜନୀତି,

ମୁଁ କେବେ ହୁଏ ମଂତ୍ରୀ

କେବେ ପୁଣି ପଦ-ବହିଷ୍କୃତ;

ତମ ସ୍ୱର–

ଗହଳିର ସିଂହ ଦ୍ୱାର

ପାଣିରେ ପକାଏ ସର,

କେବେ ମତେ ଲାଗେ ମିଛ

ଆଉ କେବେ ସତ,

କେତେବେଳେ ଅତ୍ୟଂତ ବିଶ୍ୱସ୍ତ,

ତା’ପରେ ପ୍ରତ୍ୟୟ ବ୍ୟତୀତ ।।

ତମ ନାଁ–

ଛାଡ଼ିଥିବା ନିଜ ଗାଁ,

କେତେ ଚିହ୍ନା ଅଥଚ ଦୂରରେ ।

ଏ ଜୀବନ ସରିଗଲା

ଭେଟା ଭେଟି ହେବା ପୁଣି

ଅନ୍ୟ କେଉଁ ଜନ୍ମ ଜରିଆରେ ।।

Image

 

ତ୍ରିଭୁଜ

 

ପାଖରେ ଥିବାଯାକ, ତମେ ଖୁବ ଭଲ ଲାଗ ।

ଏତିକି ଭଲ ଯେ, ଇଚ୍ଛାହୁଏ ସବୁବେଳେ

ତମପାଖେ ରହିଯାଂତି, ବାକିଥିବା ଜୀବନର

କଂଦଳରୁ ଛୁଟି ନେଇ ସାରି ।।

ତମେ ଚାଲିଯାଅ । ସୂର୍ଯ୍ୟାସ୍ତ ପରି ତମ ପ୍ରସ୍ଥାନ ନିଶ୍ଚିତ ।

ବଡ଼ ଅସହାୟ ଲାଗେ ସେଇ ମୁହୂର୍ତରେ

ଗାଁ ଯାକ ପୋଡ଼ିଗଲା, ମୁଁ ଏକ ସ୍ଥିତିହୀନ ପିଲା

କାଂଦି, କାଂଦି, ଦୌଡ଼ୁଚି ରାସ୍ତାରେ ।।

ଆଗ, ଆଗ, ତମେ କିଂତୁ ମନେପଡ଼ ବହୁଳ ଭାବରେ

ତା’ ପରେ କେବେ, କେବେ,

ତମର ଅନୁପସ୍ଥିତି ପାହାଡ଼ରୁ ହୋଇଯାଏ ଛୋଟ ବୁଦାଟିଏ ।।

କିଛିକାଳ ପରେ, ସଂପର୍କ ଜଣାଯାଏ କିଂବଦଂତୀ ପରି

ତମ ସ୍ଥିତି ଜାକି ଜୁକି ହୋଇ ଶୋଇଯାଏ,

ଅତୀତ ଆଲ୍ବମର ଗୋଟିଏ ପୃଷ୍ଠାରେ ।।

ବଂଚି ଯିବା ଲାଗି ଭୁଲିଯିବା, କେତେ ଆବଶ୍ୟକ

ଭୁଲିଯିବା ଏବଂ ଭୁଲି ଆଗକୁ ଚାହିଁବା

ମର୍ତ୍ୟର ନିୟମ–

ଆମେ ତାକୁ କହୁରେ ଜୀବନ ।।

ଅଚାନକ ବର୍ଷା ପରି ତମେ ଆସ କେବେକେବେ

ତମ ସେଇ ଆତ୍ମ ଗୋପନରୁ, ତମ ସ୍ମୃତି ଶରୀରରେ

ମାଂସ ରକ୍ତ ବୋଳାଯାଏ–

ପୁଣି ରକ୍ତ ତାତେ ମୋ ଦେହରେ ।

ସବୁ ପୁଣି ମନେ ପଡ଼େ, ତମ ପିଠି ପେଟ ଓ

ସ୍ତନରେ ମୋ ଆଗୁଂଠି ଖେଳେ ଲୁଚକାଳି

ମୁଁ ଅତିଷ୍ଠ ହୋଇଯାଏ–

ମତେ ଲାଗେ ତମେ ନାହଁ, ମୁଁ ମଧ୍ୟ ନାହିଁ,

ବିଶାଳ ଜଂତୁଟିଏ ଦିନ ଭରି ଖାଇଥିବା ଖାଦ୍ୟ

ନିର୍ଜନରେ କରୁଚି ପାକୁଳି ।।

ହାତ ବଢ଼ାଇବା ଏବଂ ନ ପାଇବା

ଥରେ ପାଇଥିବା ଏକ ସୁଖକୁ ଝୁରିବା

ଏବଂ ତାର ଅପ୍ରାପ୍ତିରେ ଘାଂଟି ହେବା

ହଂତ ସଂତ ହେବାର ଯେ ଦୁଃଖ

ଏଇଠାରେ ମିଳିଯାଏ ପଢ଼ିଥିବା ନର୍କର ସ୍ୱରୂପ ।।

ପାଇବାର ଆଶା କ୍ରମେ ମରିଯାଏ ।

ଛୋଟ ଗଳିବାଟ ଦେଇ, ଆୟୁଷ ବି ଅତିକ୍ରାଂତ ହୁଏ ।

ଇଚ୍ଛାହୁଏ, ସବୁକିଛି, ସବୁତକ ଦେଇଦେବା ଲାଗି,

ଯାହା ଅଛି, ଯାହା ବି ନିଜସ୍ୱ,–

କେତେ ଶାଂତି ଅର୍ପଣରେ, ପ୍ରତିଦାନ ଆଶା ବିରତିରେ ।

ନିସ୍ୱ ହେଲେ କେତେ ପୂର୍ଣ୍ଣ ଲାଗେ,

ଚିରଂତନ ସକାଳ ଯେମିତି ବିଛାଇଚି କିଏ ଆକାଶରେ

ଏବଂ ମୁଁ ବିଚରଣ ରତ କେବଳ ସ୍ୱର୍ଗରେ ।।

Image

 

ରଥଯାତ୍ରା

 

ପ୍ରଳୟ ଆସୁଚି ଏଇ, ଶୂନ୍ଶାନ୍ ନୀରବରେ,

ପ୍ରଳୟ ଆସୁଚି ଦେଖ, ଆଶା ଏବଂ ପ୍ରାପ୍ତିର ଦୂରତ୍ୱ

ବ୍ୟବଧାନ ରାସ୍ତା ଦେଇ ଆସୁଚି ପ୍ରଳୟ

ଅଂଗାର ଆଲୋକ ବୋଳି–

ସୂର୍ଯ୍ୟହୀନ ଆକାଶର ଅସଂଖ୍ୟ ବାଦଲ,

ପ୍ରଳୟ ଆସୁଚି ଆଜି ଜାଳିବାକୁ ଅଂଧାର ମଶାଲ ।।

ପ୍ରଳୟ ପୟୋଧୀ ଜଳେ, ହେ କେଶବ !

ମୋର ମୀନରୂପ, ଭାଙ୍ଗିହୁଏ ଅସ୍ତବ୍ୟସ୍ତ

ହେ କେଶବ ! ଅଜ୍ଞାତ ପ୍ରଳୟ ସହ

ମୁଁ ସ୍ଥିତ,- ମୁଁ ସ୍ଥିତିହୀନ, ନିଦ୍ରାଗତ

ପୁଣି ବି ସଜ୍ଞାନ, ମାନସିକ ସତ୍ତା ମୋର ମନର ବିହୀନ

ପ୍ରଳୟ କରିଯାଏ ଅସ୍ତିତ୍ୱକୁ ମୋଗଲ-ଲୁଂଠନ ।।

ପ୍ରଳୟର ବଢ଼ି କରେ ଛାରଖାର, ଆଲୋକ ଲିଭାଅ,

ଲିଭାଅ ଅଂଧାର ଏବଂ ମୃତ ପ୍ରାୟ ସମସ୍ତ ସତ୍ତାକୁ

ଘରେ ମୋର ବାରମାସି ଛଅଋତୁ ମନ,

ସକାଳେ ଏକଲବ୍ୟ ପ୍ରତିଜ୍ଞା-

ଓ ଖରାବେଳେ ଗୋପୀଂକର ଅସଂଖ୍ୟ ଚୁଂବନ

ପ୍ରଳୟର ବଢ଼ି କରେ ନଷ୍ଟ, ଅତି ଛୋଟ କ୍ଷୟଷ୍ଣୁ ଜୀବନ ।।

ପ୍ରଳୟ ଲେଉଟାଏ କଡ଼, ବିବସ୍ତ୍ର ପ୍ରେମିକାର ଅନେକ କାକୁତି,

ମୋ ଜୀବନ ମାଗିବସେ, ଦିଅ ମୋର ଶାଢ଼ୀ ମତେ

ହେ କୃଷ୍ଣ ! ବଂଚିବାର ବେହରଣ ମୋର

ଫେରାଅ ମୋ ବିଗତ ଯୌବନ

ରାତି ରାତି ଚେଷ୍ଟା ଏବଂ ଓଟଂକର ସାହାରା ପ୍ରସ୍ଥାନ

ପରିତ୍ୟକ୍ତ ମନ ମୋର ଅଳିକରେ,

ଶୁଣିବାକୁ ସୁପ୍ତ ବଂଶୀ-ସ୍ୱନ ।।

ପ୍ରଳୟ ସକାଳ ହୁଏ, ଧୋବାଘରୁ ଆସିଥିବା

ଧଳା ଏକ ପାଇଜାମା ପରି, ଦୂରରୁ ଦୂରତ୍ୱ ଡେଇଁ

ନିକଟରୁ ଅଧିକ ନିକଟ,

ପ୍ରଳୟ ବିଶ୍ୱାସ ହୋଇ ମୋ ରକ୍ତରେ ଅହରହ ମିଶେ

ଏବଂ ମତେ ଦେଖାଏ ଦିଗଂତ,

ପ୍ରଳୟରେ ରଚି ରଚି ଅନଂତ ବସଂତ,

ମୋ ଭିତରେ ପ୍ରଳୟର ସ୍ୱର ଶୁଭେ କ୍ଲାଂତ ।।

ପୋଡ଼ି ଯାଉଥିବା ଏକ ଜଂଗଲରେ ମୁଁ ଚାଲିଚି, ମୁଁ ଖୋଜୁଚି ରାସ୍ତା

ମୋ ଭିତରେ ଜଂଗଲ ଜଳୁଚି, ପ୍ରତିଦିନ ବଂଚିବା ବ୍ୟବସ୍ଥା ।।

 

ପୂର୍ବ ଦିଗ

 

ମନେକର ମୃତ୍ୟୁ ଏକ ବଡ଼ ବ୍ରିଜ୍ ଦୁଇଟି ଜନ୍ମର

ନିହାତି ଛୋଟିଆ ବାଟ ନୀଳ ଏବଂ ଲୋହିତ ରକ୍ତର

ମୃତ୍ୟୁ ଏକ ପଦଧ୍ୱନି, ଅସମାପ୍ତ କେଉଁ ଏକ ଭଂଗା ସମୟରେ ।।

ମୁଁ ମୋ ମୃତ୍ୟୁରେ ବୋଧେ ପ୍ରତିଦିନ ଚଲାବୁଲା କରେ

ଏବଂ ମୃତ୍ୟୁ ମୋ ଭିତରେ ରହି କେବେ କେବେ ଦେଖାଦିଏ,

ଅଚାନକ ଭାବେ, ଅଜ୍ଞାତରେ ମେହେଂତର ପହଁରାର ଶବ୍ଦ ପରି

ଯେମିତି ମୋ ଠାରେ ସୃଷ୍ଟି, ଏବଂ ସ୍ରଷ୍ଟାଂକର ଅନେକ କୋଠରୀ

ଯେଉଁଠାରେ ନିଜେ ଯାଇ ନିଜକୁ ମୁଁ ଆବିଷ୍କାର କରେ

କାରଣ ମୁଁ ରହିଚି ସୃଷ୍ଟିରେ ।।

ସୃଷ୍ଟିରେ ମୁଁ ଏବଂ ମୋ ଭିତରେ ସୃଷ୍ଟିର ତାଂଡ଼ବ,

ଜୀବନରେ ମୃତ୍ୟୁ ପରି ମୃତ୍ୟୁରେ ଲୀଳାକରେ ଅସଂଖ୍ୟ ଜୀବନର ରଂଗ ।।

ଜାହାଜ ଚାଲିଛି କେତେ ସମୁଦ୍ରରେ ଏବଂ ସେ

ସମୁଦ୍ର ଖଂଡ଼ ଖଂଡ଼ ହୋଇ ଗତିକରେ ଜାହାଜ ଭିତରେ ।

ସେ ସମୁଦ୍ର ହୁଏ କେବେ ଧ୍ରୁବତାରା ସପ୍ତର୍ଷି ମଂଡ଼ଳ

ଅସଂଖ୍ୟ ବୁଦ୍ ବୁଦ୍ ହୋଇ ବର୍ଷା ଯେମିତି ଗାଳୁଚି ପ୍ରବଳ ।

ଜଂଗଲକୁ ମୁଁ ଯାଏ; ଏବଂ ମୋ ଠାରେ ଜଂଗଲର ଅନଂତ ବିସ୍ତୃତି,

ପଲପଲ ବଣହାତୀ, ଲକ୍ଷ, ଲକ୍ଷ, ହରିଣ ଛୁଆଂକ କଳରବ,

ମୟୂରୀଂକ ପୁଚ୍ଛଟେକା ନୃତ୍ୟ, ମୁଁ ସନ୍ୟାସୀ ଜଂଗଲକୁ

ବାରଂବାର ପ୍ରାଣଭିକ୍ଷାକରେ । ମୁଁ ସଂତ୍ରାସ ମରିଯାଏ

ଅସଂଖ୍ୟ ହାତୀ ଏବଂ ହରିଣ ଓ ମୟୂର ଛୁଆଂକୁ ।

ହତ୍ୟା ଏବଂ ପ୍ରାଣ ଭିକ୍ଷା;

ରାତିରେ ଭୀଷଣ ବର୍ଷା, ଦିନବେଳେ ଅସହ୍ୟ ଗରମ

ମତେ ଘେରି ମୋ ଭିତରେ ମୁଁ ଅଛି,

ମୋହଗ୍ରସ୍ତ ପ୍ରେମିକର ଉତ୍କଂଠାରେ,

ଦିନରାତି, ରାତିଦିନ, ସଂକ୍ଷିପ୍ତ ଅସୀମ ।।

ଯୁଦ୍ଧ କରେ ନିଜ ସହ କେବଳ ସଂଗ୍ରାମ,

ମୁଁ ଏବଂ ମୃତ୍ୟୁ ଆମେ ସହଚର ଗୋଟିଏ ନିୟମ ।।

ମୃତ୍ୟୁ ବୁଲେ ଡିଉଟିରେ ନର୍ସ ପରି ଧଳା ଲୁଗା ଦେହଯାକ ବୋଳି,

ଏ ଶଯ୍ୟାରୁ ଆରଶଯ୍ୟା, ଜନ୍ମ ଏବଂ କେତେ ଜନ୍ମାଂତର

ମୃତ୍ୟୁ ବୁଲେ ସୂର୍ଯ୍ୟ ହୋଇ ଜୀବନର ଅସଂଖ୍ୟ ପୃଥିବୀ,

ମୃତ୍ୟୁ ଏକ ସ୍ଥିତ ପ୍ରଜ୍ଞ ବିସ୍ତୃତ ପବନ,

ଆକାଶରେ ସଦା ସ୍ଥିର, ଅଥଚ ନିମ୍ନରେ

ମଣିଷ ମନରେ ଭ୍ରମ ସୃଷ୍ଟିକରେ ଗତିଶୀଳତାର ।।

ସତ୍ୟ ଏକ ପ୍ରୟୋଜନା ପୃଥିବୀର ସର୍ବଶ୍ରେଷ୍ଠ ମିଥ୍ୟା

କାରଣ ତା ମୃତ୍ୟୁ ଭଳି ନିଜ ଦେହ ନିର୍ବିକାରେ ଆତ୍ମହତ୍ୟା କରି,

ଆୟା ହୋଇ ମତେ ତା’ର ଗୋଡ଼ରେ ଖେଳାଏ ।

ମୃତ୍ୟୁର ଦୁଇଟି ଗୋଡ଼ ବର୍ତମାନ ଏବଂ ଅତୀତର

ଭବିଷ୍ୟତ ଯାହାର ଅଂଧାର ।

ଅଂଧାର ଦେଖୁଚି ଯେମିତି ନିଜକୁ ବାରଂବାର ଆଲୋକ ଆର୍ସିରେ

ଟାଣୁଚି ଅସଂଖ୍ୟ ଗାର ସମୟରେ ଲାଜ ଲାଜ ହୋଇ

ସ୍ତ୍ରୀ ଯେମିତି ପ୍ରଥମ ଗରଭ୍ କଥା ପ୍ରକାଶ କରୁଚି ।।

ମୋ ଆରଂଭ ଶୂନ୍ୟତାରୁ, ନିର୍ବାପିତ ମହାଶୂନ୍ୟତାରେ,

କାରଣ ଶୂନ୍ୟତା ଖାଲି ରହିପାରେ ଶୂନ୍ୟତା ଦେହରେ,

ମୁଁ ଯେଣୁ ବଂଚିରହେ, ଘରେ ନୁହେଁ,

ନୁହେଁ କେଉଁ ଲଂବା ସହରରେ, କିଂତୁ ନିଜ ଜୀବନ ଭିତରେ

ମୁଁ ରହେ ମୋ ସ୍ଥିତି ହୁଏ ଏକାକାର କେବଳ ସେ ମୃତ୍ୟୁର କାନ୍ଥରେ ।।

ସୁଅର ତୋଡ଼ରେ ଆସେ, ଫୁଲ ଭାସି,

ଜୀବନର ଯେତେ ବାସି ଫୁଲ, କେବେବା କୂଳରେ

ଲାଗେ, ଆଉ କେବେ ପୁଣି ଭାସି ଯାଏ, କେବେ ଉଏଁ

କେବେ ହୁଏ ଅସ୍ତ, ବଂଚିବାର ବଣରେ ପଳାସ

କେବଳ ବିସ୍ତୃତ ହୁଏ ଶୂନ୍ୟତାର ମହାସମାବେଶ

ଅନେକ ଆଶଂକା ଦେହୁ ମୃତ୍ୟୁ ଜନ୍ମେ,

ଜଗନ୍ନାଥ ଦାଶ ।।

ରାସ୍ତାରେ ଚାଲୁ ଚାଲୁ ଦଉଡ଼ିକୁ ଭାବିନେଇ ସାପର ଆକୃତି

ମୁଁ ଚିତ୍କାର କଲି, ଏଇ ସାପ ମାର, ମାର,

କାରଣ ମୋ ଅବୟବ ସାରା, ସାପଂକ ଅସଂଖ୍ୟ ଛୁଆ,

ମୁଁ ହେଲି ନିଜେ ଏକ ସାପ ।

କିଏ ମତେ ଉଠାଇଲା ପ୍ରଗାଢ଼ ନିଦରୁ,

କହେ ମୋର କାନେ କାନେ,-

(‘‘ରେ, ଆତ୍ମନ ନିଦ୍ରା ପରି ହରି.....’’)

ଏ ପରା ଦଉଡ଼ି ଖଂଡ଼େ ଖରାଟାରେ ପଡ଼ିଚି କେବଳ ।।

ମତେ କିଛି କଥାକୁହ, ମୋ ଦେହ ଜମା ଭଲ ନାହିଁ,

କେଉଁ ରାଜା ମଂତ୍ରୀ ହେଲେ, କେଉଁ ନାରୀ

ପ୍ରସବ ବେଦନାରେ ଆଖି ବୁଜି ଦେଲା,

କୁହ ମତେ, କିଛି କୁହ, କ’ଣ କହିବି... ??

ମୁଁ ମୋ ନିଜର ନୁହେଁ, ତେଣୁ ମୋ ଦେହରେ ଚାଲେ

ସତାନବେ ଡିଗ୍ରିର ଉତ୍ତାପ ।

ଗୀର୍ଜା ଓ ମଂଦିରର ଘଂଟା ଯେଉଁଠି ଏକତ୍ର ହୁଏ,

ମନନିଷ୍ଠ ଆତ୍ମଚେତନାରେ ।।

Image

 

ଅନ୍ୱେଷଣ

 

ତମେ ସବୁ ଥିଲେ ଥାଅ–

ମୁଁ କିଂତୁ ସିଧା ମୁହାଁଇଲି,

ନିର୍ଘାତ ଖରାର ଛତା ମୁଂଡ଼େ ଦେଇ

ଜଳଛତ୍ର ପାଣି ପିଇ ରାସ୍ତା କଡ଼େ କଡ଼େ

ଧୂଳୀର କଂବଳ ପାରି ଆଗକୁ ଓ ଆହୁରି ଆଗକୁ ।।

କୁଆଡ଼େ ଗଲ ମୋ ରାଜା,

ତମ ଲାଗି କେତେ ଖୋଜା କଲି,

ଏ ଗାଁ ଟା ଲାଗେ ଦୁର୍ବିସହ

ତମେ ଏଠୁ ଚାଲି ଗଲାପରେ,

ଲୋକମାନେ କରୁଚଂତି ମେଳି,

ଏ ଗାଁ ର ଝିଅମାନେ–

ଏଇନା ତ ଖୁବ୍ ଖୁସିରେ

ରାତି ଅଧେ ନଈ ପହଁରଂତି,

ତାଟି କବାଟ ପଡ଼ୁଥିଲା ସଂଜ ହେଲେ

ତମେ ଯେବେ ବିଜେ କରୁଥିଲ ।।

ଏ ଫୁଲ ଗଛର ଡାଳ ସ୍ୱର୍ଗେ ଲାଗୁ

ଆଉ ଏକ ମଂଚେ ଲାଗି ଯାଇ

ସେମାନେ ଅଛଂତି ସତେ,

ସାତ ଭାଇ ଓ ଏକ ଭଉଣୀ,

ତାଂକ ମା କାଟେ ଘୋଡ଼ା ଘାସ,

ତେଣୁ ମୁଁ ଚେଷ୍ଟା କରି

ତମ ଲାଗି ଫୁଲ କିଛି ଛିଂଡ଼ାଇ ପାରୁନି ।।

ତଥାପି ଖୋଜିବି ହେ ମୋର ରାଜା !

ମଣିଷ ଏମିତି କେତେ ଯୋଜନା ଓ ପ୍ରଯୋଜନା କରେ

ସେଥିରେ ଜୀବନ କଳେ, ଶାଂତିରେ ନିଆଁ ଲାଗିଯାଏ

ତଥାପି ସେ ବଂଚିରହେ ଏ ଜନ୍ମରେ ଓ ଅନ୍ୟ ଜନ୍ମରେ ।

ଆଶାବାଦୀ ଫୁଲ ଶୁଂଘି ମେଣ୍ଢା ହୁଏ,

ନିୟମର ପୋଷା ମାନି ଯାଏ ।।

ହେ ମୋର ନିର୍ମମ ରାଜା–

ହେ ମୋର ପ୍ରାଣର କାହାଣୀ–

ଅଗନା ଅଗନି ବନ ତମ ପାଇଁ

ମୁଁ କିଛି ମାଗୁନି–

ତମେ ଥିବ କେଉଁଠାରେ–

ଅବା କେଉଁ ସୂର୍ଯ୍ୟ ଶରୀରରେ

 

ତମକୁ ପାଇବା ପାଇଁ

ତଥାପି ମୁଁ ଚାଲୁଚି-ଚାଲିଚି ।।

Image

 

ନିଜେ, ପ୍ରତିଧ୍ୱନି

 

ଆଉ ଟିକେ ଗଲେ ଯେମିତି ସବୁହେବ ଶେଷ,

ମାଂସର ନିଶ୍ୱାସ ଓ ରକ୍ତର ପ୍ରଶ୍ୱାସ,

ଦୁଃଖର ନଦୀ ପାଖେ, ସୁଖର ପତ୍ରହୀନ ଗଛ ।

କାହାର ନିର୍ଜନତା ମୋ କାଂଧରେ ହୁଏ ବଡ଼ ବୋଝ

ଇଛାଂକୁ ଏକାଠି କରି ଗଢ଼ିଥିବା ଛୋଟ ଛୋଟ ଅଖ୍ୟାତ

ପୃଥିବୀ ମାନେ, ଅନାବନା ଆଶାଦ୍ୱାରା ବୁଲୁଛଂତି

ମତେ କେଂଦ୍ର କରି,

ମୋ ହାତରେ ଖାଲି କିଂତୁ ଗଭୀର ଅଂଧାର

ଅତୀତରେ ଘଟିଥିବା କାର୍ଯ୍ୟ ଓ

କାରଣର ଶୋଭା ଯାତ୍ରା,

ମୋ ଆଖିରେ ନାଚେ ବାରଂବାର ।।

ଅଂଧାର ହିଁ ଏକମାତ୍ର ସର୍ତ

ଶୁଣିବାକୁ ପାହାଂତାର କଳରବ, ସ୍ୱର ।।

ଏଠାକାର ପ୍ରତ୍ୟେକ ଘଟଣା

ନିଜ ସ୍ଥିତି ଅଥବା ଅସ୍ଥିତି ସବୁ ପଂଗୁ,

ଚଳତ୍ ଶକ୍ତିହୀନ,

ଚିରଂତନ ସମୁଦ୍ରରେ ନିମଗ୍ନ ଓ ବର୍ତମାନ ଭିନ୍ନ ।।

ମୋର ଜମା ହୋସ୍ ନାହିଁ,

ତମ ପାଖୁ ମୁଁ ଆସିଲି କେବେବା ଫେରିଲି,

କେବେ ପୁଣି ପବନରେ ଦୂରକୁ ଭାସିଲି,

ମୋର କଣ ଆଉ ମନେ ଅଛି... ??

କେବେ ତମେ କହୁଥିଲ ଅନେକ ଆଦର୍ଶ କଥା

ମୋର ମନେ ନାହିଁ,

କାରଣ ତାହା ଖାଲି ଫାଂକା ଆଶ୍ୱାସନା,

କେବଳ ବଂଧନ,

ସମୁଦ୍ରର ମନୋରମ ଦୃଶ୍ୟ ଦେଖି ଖୁସି

ହେଲାପରି, ବଂଦଘର ଝର୍କା ସେ ପାଖରୁ ।।

ମୁଁ ଭିକାରି ପିଲା ପରି ସକାଳରୁ

ସଂଧ୍ୟାଯାଏ ସମସ୍ତଂକ ଗୋଡ଼ ଛୁଇଁ

ମାଗୁଚି ପଇସା;

ଦିଅ ମତେ ତମ ପାପ ଯେତେ,

ଯେତେ କ୍ଷତ, ଯେତେ ରୋଗ ଯେତେ ଜରା

ନିଆଁ ପରି ଦିକ୍ ଦିକ୍ ଜଳୁଥିବା ଯେତେ ଅଭିଳାଷ

ସେ ସବୁକୁ ମିଶାଇ ମୁଁ ଗଢ଼ିବି କୈଳାସ ।

ଜଗତର ସମସ୍ତ ବିଷକୁ ଏକତ୍ରିତ କର,

ଅଧାପୋଡ଼ା ଆଶା ଓ କାମନା,

ଭୟ ଓ ବିଶ୍ୱାସ, ଅଂଧାରିଆ ଆଶଂକା

ଓ ଅଧାବେକ ଟେକୁଥିବା ଲୋଭ,

ମୁଁ ସମସ୍ତ ପିଇଯିବି, ତାଂଡ଼ବର

ମଧ୍ୟାଂତର ବେଳେ ।।

ମୁଁ ତଫାତ୍ ଦେଖୁନାହିଁ ପାପ ଓ ପୁଣ୍ୟରେ

ଏ ଜୀବନ–

ଗାଁକୁ ଫେରୁଥିବା ଶ୍ରାଂତ ବାଟୋଇର

ଅକସ୍ମାତ ଛାଇ,

ଛାଇ ତଳେ ସାପ ହୁଂକା,

ସିଜୁବାଡ଼ କଂଟାର ଚଟେଇ ।

ଭାବିବାକୁ ବେଳ କାହିଁ ?

ସବୁ ଯେମିତି ଏଇ ହେବ ଶେଷ,

ସୂର୍ଯ୍ୟର ପ୍ରତ୍ୟୟକୁ

କିଣିନେବ ପଶ୍ଚିମ ବତାସ ।।

ବଂଚିବାର ଝରଣାରେ ପ୍ରତିଦିନ

ବହୁଚି ଉଜାଣି,

ଜହ୍ନର ଶୀତଳ ଛାଇ ଖୋଜୁଚି ଅଂଧାର

ଆଉ କେତେ ସମୟ ଅପେକ୍ଷା ?

ଝରଣା ଶୁଖିଯାଏ, ଜଣାଯାଏ ଯେମିତି ପାହାଡ଼

ଏକାଧିକ ଜୀବନର,

ଅପୂରଣ ଆଶା ଓ ପ୍ରତୀକ୍ଷା ।।

ଉତ୍ତେଜନା ଆସେ ଏବଂ ମରିଯାଏ,

ଜାଣିବାକୁ ପାପ କଣ ପୁଣ୍ୟ ବା କେମିତି,

ସତ କିପରି ମିଛଠାରୁ ଭିନ୍ନ,

ସୁଖର ଅନ୍ୟନାମ କଣ ଦୁଃଖ,

ସବୁ କ’ଣ ନୁହେଁ ଆପେକ୍ଷିକ... ??

ନ୍ୟାୟ ଓ ଅନ୍ୟାୟ–

ଛୋଟିଆ ଜୀବନଟିଏ ଆହୁରି

ଛୋଟିଆ ହୁଏ, ଭାବନାରେ ରକ୍ତ ହୁଏ କ୍ଷୟ ।।

ମୁଁ ଖୋଜୁଚି;

ଦେଖିବାକୁ ମୋ ପରି ମଣିଷଟିଏ

ପିଂଧି ନିଜ ବାଷ୍ପର ଶରୀର

ମୁଁ ଶୋଇଲେ ଚାଲିଯାଏ,

ଫେରି ଆସେ ଉଠିବା ପୂର୍ବରୁ

ଦୁଃଖ-ସୁଖ-ଆଶା ଅତିକ୍ରାଂତ

ସୀମିତ ଚେତନାରେ ମୁଁ ଖୋଜୁଚି

ଚେତନା-ଅତୀତ ।।

ମୁଁ ହାଟଘର ପିଲା,

ମୋ ଜୀବନ ବାଟରେ ହାଟରେ,

କିଏ ମତେ ଶିଖାଇବ ଚାଟଘର କଥା

ଅନିୟମ ଗହଳି ଭିତରେ ।।

Image

 

ଅନ୍ୟ ମନ; ମନାଂତର

 

ନିଜ ଜନ୍ମ ଭାବୁଥିଲି,

ଜନ୍ମ କଥା ଭାବୁ ଭାବୁ

ମୋ ଆଗକୁ ଆସିଲା ଜୀବନ ।।

ସେତେବେଳେ, ଖୁଂଦା ଖୁଂଦି ମେଘମାନେ

ସମସ୍ତ ସୃଷ୍ଟିର, ଏକଜୁଟ ହେଲେ,

ଅଣଚାଶ ପବନରେ ଦିଗ ସବୁ ହେଲେ ନିର୍ବାପିତ

ଉଚ୍ଚତମ ପାହାଡ଼ର ଶିଖ-

ଏବଂ ସମୁଦ୍ରର ଗଭୀର ପ୍ରଦେଶ

ହେଲେ ସ୍ଥିର, ହେଲେ ଏକତ୍ରିତ,

ବଜ୍ର ଓ ବିଜୁଳି, ଆକାଶର ଉଦର ଚିରିଲେ,

ମୁଁ ଭାବୁଥିଲି, ଏଇ ବୋଧେ ସୃଷ୍ଟି ପୂର୍ଣ୍ଣଚ୍ଛେଦ ।।

ସେଇ ମହା ପ୍ରଳୟରେ ଭାସି ଯାଉ ଯାଉ

ମୁଁ ଦେଖିଲି; ତମ ବାଁଆ ହାତ ମୋ କାଂଧରେ

ଏବଂ ଆଉ ଏକ ହାତ,

ଜ୍ୟୋତିଷକୁ ଦେଖାଇବା ଭଂଗୀର ପାପୁଲି କରି

ଛତାଟିଏ ପରି ଘୋଡ଼ାଇଚି, ଥରୁଥିବା

ପୌରୁଷକୁ ମୋର ଆତୁର ଭାବରେ;

ମୁଁ ବୁଝିପାରେ ନାହିଁ, କାହିଁକି ତମର ଏ ଅହେତୁକ ଶ୍ରଦ୍ଧା

ଭାଂଗି, ହଜି ଯାଉଥିବା ବିକଳାଂଗ ମୋ ଜୀବନରେ ।।

ବେଳେ ବେଳେ ମତେ ବି ସଂଦେହ ଲାଗେ

ଏ ଜୀବନ ତମର ନା ମୋର;

ନିଜର କହିବା ଲାଗି ବଳୁନାହିଁ ମନ,

କାରଣ ତା’ ସୃଷ୍ଟି ବିନାଶରେ,

ମୋର ନାହିଁ କିଛି କହିବାର ।।

ତମ ସହ ଏ ବିଷୟ ଘଂଟା ଘଂଟା ଚର୍ଚା କରି

ଫଳ ନାହିଁ, ଯୁକ୍ତି କରି ଲାଭ ନାହିଁ,

ମଜା ନାହିଁ କିଛି ଜିତିବାର ।।

ଆଚ୍ଛା, ଧର, ମୁଁ ମାନିନେଲି, ଏ ଜୀବନ ପ୍ରତ୍ୟୁଷ

ବିକାଶ, ଓ ବିଲୟ ତମର ଦାୟିତ୍ୱ

ମୁଁ ଯେଣୁ କାରଣ ନୁହେଁ, ମତେ ସବୁ ଲାଗୁଚି ବିଚିତ୍ର ।

କାହିଁକି ସୃଷ୍ଟି କଲ, ଏ ଜୀବନ, ?

ଯଂତ୍ରଣା ହିଁ ଯା’ର ଅନ୍ୟନାମ,

କାହିଁକି ଗଢ଼ିଲ ମନ... ??

ସର୍ବଦା ଯା’ ଆଶଂକାରେ ପୂର୍ଣ,

କାହିଁକି ଯୌବନ ଦେଲ... ???

କଲ ତା’କୁ ଦେହରେ ସଂକୀର୍ଣ ।

କାହିଁକି ବିଚାର ଦେଲ– ????

ଭିକାରି ପିଲାଟି ପରି, ଦେହ ଖାଲି ହାଡ଼ ମାଳ,

କାହିଁକି ଆରଂଭ ଦେଲ...... ?????

ଶେଷଠାରୁ ଯାହାର ଉତ୍ପତି

ଏ ଜୀବନ କଣ ଏକ ଅଧା ବଂଧା ଛାମୁଡ଼ିଆ

ଡାଳ ସବୁ ଗୋରୁ ଖାଇଲେଣି,

ଦେଖା ନାହିଁ, ଆସିବାକୁ କହିଥିବା ସଭାର ଅତିଥି ।।

କାହାକୁ କହିବି ଦୁଃଖ... ? ନିଜର ବ୍ୟସ୍ତତା

ସମସ୍ତଂକ ଘର ଭର୍ତି ଦୁଃଖ ଓ ଶୋକରେ

କାହାକୁ ବାଂଟିବି ମୋର ନିର୍ଜନତା

ଯାହାକୁ ପଚାରେ, ସେ ଥରୁଚି, ଏକାକୀ ଭୟରେ ।।

କଦଳୀ ଖାଇବା ଏବଂ ଦିଅଁ ଦେଖା

ଏକାବେଳେ ହେବ ବୋଲି ଭାବିଥିଲି,

କଦଳୀ ପସରା ପାଖେ ରହିଗଲି,

ଦିଅଁ ଘର ପହଡ଼ ପଡ଼ିଲା ।

ପ୍ରତିଥର ପାଗ ବଂଧା ସଜିଲିରେ

ସବୁଦିନ କଚେରୀର ବରଖାସ୍ତ ହେଲା ।।

ତେଣୁ ଆଜି ମୋ ନାକ ତଳେ, ବୋଳିଦିଅ

କିଛି ନିଶ, ମୋ ଚଂଦା ମୁଂଡ଼ରେ ପୁଣି ମେଢ଼ କର

କଳା ବାଳ, ନାଲି ପଗଡ଼ିରେ, ପରାଜିତ ରାଜା ପରି

କଣ୍ଢେଇ ନାଚର, ମୁଁ ନାଚିବି,

ବାରଦ୍ୱାର ଶୁଣ୍ଢିର ପିଂଡ଼ାରେ ।।

Image

 

ତମ ସହ ନିତିଦିନ

 

ଏଇଠାରୁ ନମସ୍କାର କଲି । ଏଇଠୁ, ଏ ପାଖୁ ।

ବତା ଏବଂ କାଦୁଅର ଯୋଡ଼ାଯୋଡ଼ି ପାପୁଲିକୁ ଏକତ୍ରିତ କରି,

ଆଂଜୁଳାରେ ବାକିଥିବା ଆୟୁଷ ଓ ସ୍ନାୟୁର ଶକ୍ତିକୁ,

ଆଜିଠାରୁ ସର୍ତ୍ତବିନା ତମଠାରେ ସମର୍ପଣ କଲି ।।

ଇଚ୍ଛାଥିଲା, ତମ ସହ ଦେଖା ହେବ ଥରେ ନିଶ୍ଚିତରେ,

ଦୁଃଖସୁଖ ହେବା, ମୁଁ ଆସିବି ତମ ଡେରା ପାଖୁ, ପାହାଂତାର

ନାଲିନାଲି କିରଣର ନୌକା ଚଢ଼ି ମୋ ଅସମାପ୍ତ ଶିବିରର ସମାବର୍ତ୍ତନରେ ।।

କିଂତୁ ତା ହେଲା ନାହିଁ । ଯିଏ ଯାହା ଇଚ୍ଛାକରେ ପାଏ ନାହିଁ ।

ଏଠାରେ ଏମିତି ସବୁ ଅଘଟଣ ଘଟେ । ବହୁଦୂର ଭାସି ଆସେ

ଦମକାଏ ଶିତଳ ପବନ, ଦେହ ଛୁଇଁ ଅଂତଧ୍ୟାନ ହୁଏ ।

ତା’ପରେ ମୁଁ ବଂଧାହୁଏ ପୁଣି ନିଜ ରକ୍ତର ଖରାରେ,

ବର୍ଷାର ସ୍ୱପ୍ନ ଦେଖି ଉଠିଲା ବେଳକୁ ଚାରିଆଡ଼େ ନିଆଁ ଜଳୁଥାଏ ।

ନିଆଁରୁ ବର୍ତ୍ତିବା ଲାଗି ରାସ୍ତା ନାହିଁ, ଲିଭାଇବା ଲାଗି କେହି ନାହିଁ ।

ବର୍ଷା ଯାଇଚି ପେରି ପାହାଡ଼ ସେ ପାଖୁ, ଆଖି ପାଏ ନାହିଁ ।

ଏଠାକାର ବଂଚିଯିବା ଏଇପରି ଅର୍ଥହୀନ, ସକାଳକୁ ଆଶାକରି

ଆକାଶକୁ କେବେ ବା ଚାହିଁଲେ, ଲଂବା ଲଂବା ତାଳଗଛ ଡାଳଂକ

ଭିତରେ ଅଂଧାରର ଚମା ଖାଲି ଦିଶେ ।।

ଆଉ ମୋର ପହଂଚିବା ଲାଗି ଚେଷ୍ଟା ନାହିଁ ।

ପହଂଚିବା, ସରିଯିବା ପରି ବୋଧହୁଏ ଦୁଃଖପ୍ରଦ

ସବୁ ଜିତିବାରେ ଲୁଚିରହେ ସଂକ୍ରାମକ ହାରିବାର ଭୟ

କିଛି ପାଇବାରେ ପୁଣି ଅଂତହୀନ ଖୋଜିବା ଆଗ୍ରହ,

ଆଉ ମୋ ହସିବାକୁ ମନନାହିଁ, କାରଣ ତା’

ପଛରେ ଦିଶୁଚି ବିକଳାଂଗ ବିକଳା ଭାବ ।।

ନିତିଦିନ ନିଜକୁ ଖୋଜିଲା ବେଳେ ମଂଦିରରେ

ଶ୍ମଶାନରେ କିମ୍ବା ବେଶ୍ୟା ଘରେ, ମତେ ଲାଗେ

ତମେ ଯେମିତି ପାଖେ ପାଖେ ଅଛ, ଦର୍ପଣ ବିକାଳିର

ନୈରାଶ୍ୟର ବୋଝଧରି ଅଂଧଂକ ରାଜ୍ୟରେ ।

ମୋର କିଛି କରିବାର ପଂଥା ନାହିଁ ।

ବ୍ୟକ୍ତିଗତ ଚେତନାର ଶିଖା ଲିଭିଯାଏ ସମଷ୍ଟି ନିଦ୍ରାରେ ।

ତେଣୁ ଯେତେ ବେଳ ବଢ଼େ, ମୁଁ ବେକାର ଜଣାଯାଏ ମତେ

ଖାଇବା ପିଂଧିବା ଏବଂ ପ୍ରଜଜନ ପରେ, ଅକର୍ମଣ୍ୟ ଏ ଜୀବନ

ଅନାଦୃତ ପଢ଼ା ଚିଠି ପରି ପଡ଼ିଅଛି ରାସ୍ତାର ସେପାଖେ ।।

କାହାକୁ କହିବି ଦୁଃଖ... ? ତୁମକୁ କହିବା

ଯାହା କାଂଥକୁ କହିବା । ତ’ ଅପେକ୍ଷା ବରଂ

ଭଲ ଚୁପ୍ ରହିଯିବା । ସମୁଦ୍ରର ଢେଉ ସହ

 

କୁସ୍ତି କରିବା ଅପେକ୍ଷା, ଶ୍ରେୟସ୍କର ବୋଧେ, ବାଲିର

କଂବଳଟିଏ ଘୋଡ଼ି ହୋଇ ଶେଷ ହୋଇଯିବା ।।

Image

 

ରେଳ ଉପରୁ ଚିଲିକା ଦର୍ଶନ

 

ତମ ଗାଁ ଷ୍ଟେସନରୁ ସେଥରକ ଚାଲିଗଲା ଟ୍ରେନ୍ ।

ଫଁ, ଫଁ, ଶବ୍ଦ କରି ନିଶ୍ୱାସରେ ଆକାଶ ଭିଜାଇ;

ଟ୍ରେନ୍ ଗଲା ନୂଆ ଧରା ବଣନାଗ ପରି, ଦୂରକୁ ଓ ଅନେକ ଦୂରକୁ ।।

ସେଥରକ ଟ୍ରେନ ଗଲା ସବୁଦିନ ପରି,

ଏବଂ ବୋଧେ ଫେରିବ ସେମିତି (ଆହା ! ପୁତ୍ର ବାହୁଡ଼ି ଆସିବ)

କୋଳାହଳ ଚା ଡାକ, ଅସ୍ତମିତ ଆଲୋକର ଜଂଜାଳ ଆଡ଼େଇ ।

କୌଣସି ଆତ୍ମୀୟଂକ ମୃତ୍ୟୁପର ଶବଦାହ ବେଳେ,

ଶ୍ମଶାନକୁ ଯାଇଥିବା ଲୋକ ଭାବେ ଜୀବନଟା ନିହାତି ଅଳୀକ,

ଘରକୁ ଫେରିବା ପରେ, କଳି କରେ,

ଭାଗ ବାଂଟେ, ଜମି ଜମା, କଂସା ଓ ବାସନ ।।

ଟ୍ରେନ ପରି ଏ ଜୀବନ କେବଳ ଚାଲିବା,

ଫଳପ୍ରାପ୍ତି ଉଲ୍ଲାସର ପରବର୍ତି ମୁହୁର୍ତରେ

ଦୁଃଖଗ୍ରସ୍ତ ହେବା ।।

ଟ୍ରେନ୍ ଖୁବ୍ ଚାଲିଥିଲା ଦଳି ଦଳି ଘାସ ଓ ଅରଣ୍ୟ,

ନଈନାଳ ବିଲପଠା, ଅସମାପ୍ତ ସୁଖ ଓ କାରୁଣ୍ୟ,

ଧୂମାଳ ଧୂଆଁର ଏକ ଆସ୍ତରଣ,

ଶ୍ୱାସ ରୋଗୀ ଲଂବା ଖାସ ଶବ୍ଦ ପରି,

ଅଂତିମ ଓ ଅସଂଖ୍ୟ ମୁହାଁଣ ।।

କିଏ ଜଣେ ପାଟି କଲା ।

ହେ ମୋର ଚଳମାନ ପଂଗୁ ବର୍ତମାନ !

ହେ ମୋର ଭାରବାହୀ ବାଷ୍ପ ଓ ଶ୍ୱାସର ଶଗଡ଼

ରଖ, ରଖ, ଟ୍ରେନ୍ ଏଠି ରଖ, ମୁଁ ଦେଖିବି

ଚିଲିକାର ଦୃଶ୍ୟ, ଆହା ଦିଶେ କେଡ଼େ ମନୋରମ ।।

ନାଲିକନା ଝାଡ଼ି ଝୁଡ଼ି କିଏ ଜଣେ ତଥାପି ଖୋଜୁଚି

ପାଇବାକୁ ଚେନ୍ଟଣା ଲୋକର ସଂଧାନ ।।

କେହି ଯଦି ସୃଷ୍ଟ ନୁହେଁ, କାର ପୁଣି ଘଟେନା ବିନାଶ,

ତମେ କିଏ, ମୁଁ କିଏ, କାହିଁକା’ର ଆରଂଭ ଓ ଶେଷ,

ଚିଲିକାର ନୀଳ ପାଣି ଚାଇଁ ରହେ ଅନଂତ ଆକାଶ ।

ପାଣିକୁ ଦେଖିଲେ ସବୁ ସ୍ଥୂଳ ଲାଗେ, ମନ ପୁଣି

ଦେହାବର୍ତ ହୁଏ;

ଆକାଶକୁ ଅନାଇଲେ, ସେଇ ମନ ବିସ୍ତୃତିର ଅସୀମତା ଖୋଜେ ।।

ସେଥରକ ତମ ଗାଁ ଚିଲିକାରେ ଭିଡ଼ିଥିଲା,

କେହି ଜଣେ ରାଜା ପାରିଧିରେ ଆସିଥିଲେ ବୋଲି ଭାବି

ଲୋକେ ଘେରିଗଲେ, ଏବଂ ଦେଖି ଚତୁର୍ଧା ମୂରତି,

ମନେ ମନେ ଶୁଣି ହେଲ, ଏ ଅଥର୍ବ ଦେହ ମୂଢ଼ମତି,

ସବୁଥର ଦେଖେ ଏବଂ ପରବର୍ତୀ କେତେ ଅନୁଭୂତି

ପରେ ମଧ୍ୟ ହତଜ୍ଞାନ । ତଥାପି କେମିତି... ???

ଚିଲିକାରୁ ପାଣି ଶୁଖେ, ସର୍ବଗ୍ରାସୀ ନିଆଁ ଖାଲି ଜଳେ,

ପ୍ରବୃତ୍ତି ପ୍ରୟାସୀ ଜଣେ ହୋମ କରି ବ୍ୟସ୍ତ ରହେ ମଂତ୍ର ପଢ଼ିବାରେ ।

ସେ ମଂତ୍ରର ଅଂତ ନାହିଁ, ତାର ପଢ଼ା କେବେ ବି ସରେନା,

ପ୍ରତିଥର ମରଣରେ, ପୁଣି ଜନ୍ମ, ଦେହ ତ୍ୟାଗ ହୁଏ ।

ନିଜର ଅସ୍ତିତ୍ୱ ଏଠି ବୁଝି ମଧ୍ୟ କଳି ହୁଏ ନାହିଁ ।

ତମ ଗାଁ ଠାରୁ ପୁଣି ଯେତେ ଯେତେ ଦୂରକୁ ଚାଲିଲେ

ମୁଁ ଭାବେ ଏଇ ପୁଣି ମୋ ଗାଁ ଷ୍ଟେସନ ଆସୁଚି

ଓ ତା’ପରେ ପଡ଼ିବ ଚିଲିକା ।।

ତେଣୁ ମୁଁ ପାଟିକରେ ସବୁଧର,

ରଖ, ରଖ, ଶଗଡ଼କୁ ରଖ, ବଳଦଂକୁ

କୁଂଡ଼ା ପାଣି ଦିଅ, ତଳେ ଏ ଚିଲିକା ଦେଖ,

ସତେ ଯେମିତି ପାଲା ବାଲା ଜଣେ, ପୂଜା ଶେଷେ ଝାଡ଼ିଯାଏ,

ବିଭକ୍ତିର ପବନରେ ଆସକ୍ତି ଓ ଜଳିବା ଚାମର ।।

ତେଣୁ ମୋର ତମ ଗାଁ ବୁଲା କେବେ ଶେଷ ହୁଏ ନାହିଁ,

ମୋ ଚିଲିକା ଦେଖା କେବେ ସରେ ନାହିଁ,

ପ୍ରତି ଉତ୍ତରରେ ପୁଣି ଏକ ନୂଆ ପ୍ରଶ୍ନ ଜନ୍ମ ନିଏ ।

ପ୍ରତ୍ୟେକ ଶେଷରେ ଆରଂଭର ଜକ୍ ଜକ୍ ମୁହଁ ଦିଶୁଥାଏ ।।

Image

 

ଅଭିଲିପ୍ସା

 

ଅବସନ୍ନ ମୁହୂର୍ତ ସବୁ ବର୍ଷା ହେଲେ,

ସମୟର ସମୁଦ୍ରରେ ଠପ୍ ଠପ୍ ଠାପ୍,

ଜୀବନ କାଂଥରେ, ଅବସନ୍ନ ମୁହୂର୍ତ ଖସଂତି,

ଦଦଂବ ଫୁଲ ହୋଇ ନିସ୍ତବ୍ଧ ଯମୁନା କୂଳରେ ।।

ଗଭୀରତା ହୁଏ ବ୍ୟବଧାନ ।

ମୁଁ ଭୟଭୀତ ହୁଏ ଦେଖି ନିଆ ର ଦମନ,

ନିଆଁଦ୍ୱାରା, ଭୟକୁ ଡରିବା ଖୁବ୍, କାରଣ ଏଠାରେ,

ଏକମାତ୍ର ଭୟ ଅଛି ଦୋସ୍ତି କରିବାକୁ ।

ଏଇ ଖରାବେଳେ, ଅନେକ ଆତ୍ମଶ୍ଲାଘା ଓ

ପ୍ରେମିକାର ଚୁପ୍ ଚାପ ଚାଲିଯିବା ପରେ,

ବର୍ଷା ଯୋଗୁଁ ଲୁଗା ସବୁ ଧୋବା ଘରେ

ଶାଂତ ବିଶ୍ରାମରେ ।।

କାହିଁକି ଉଠିଲା ପୁଣି ମଲା ନିଆଁ ସୂର୍ଯ୍ୟ ହୋଇ

ପ୍ରତିଦିନ ବାଛିବାକୁ ପଡ଼େ ମତେ ଅନେକ ଦୁର୍ଘଟଣା

ଏବଂ ଦ୍ୱିଧାରୁ ଗୋଟିଏ, ବଂଚିବାକୁ ମୁଁ ଇଚ୍ଛାକରେ ।

ପୁଣି ସେ ପୁରୁଣା ମେନୁ–

ନୈତିକତା, ରାଜନୀତି, ନିୟମ ଓ ସେଇ ଯୌନ ଚର୍ଚା

ବର୍ତ୍ତମାନ ଆସେ ମାଡ଼ି,

ମୁହୂର୍ତର ଅସମାପ୍ତ ଢେଉ,

ପେଟରେ ଜମୁଥିବା ଚରବି ପରି,

ସ୍ତର ପରେ ସ୍ତର,

ମଣିଷଂକ ସମୁଦ୍ରରେ ଯୋଗିନୀର ନିର୍ମମ ପ୍ରହାର ।।

ତେଣୁ ମତେ ଡର ଲାଗେ ଉଚାକୁ ପାଖରେ ଦେଖି

ଶବ୍ଦକୁ ମୁଖସ୍ତ କରି କହିବାକୁ

ବଶଂବଦ, ଶ୍ରଦ୍ଧେୟ ଓ ମୁଁ ସ୍ନେହାଧୀନ

ଇଚ୍ଛାଂକୁ ପରାସ୍ତ କରି ବାରମ୍ବାର କରିବାକୁ

ଅସଂଖ୍ୟ ଭ୍ରମଣ

ଖୋଜି, ଖୋଜି, ବଜାରରେ ଋଷିଂକ ଆଶ୍ରମ ।।

ଆଉ କଣ ଲାଭ ଏଇ ଆଖି ଥାଇ ??

ଆତ୍ମ ସମର୍ପଣ ଆସେ ବହୁବେଳୁ,

ଯେଉଁଠାରେ ନିଜ ସତ୍ତା ସମୁଦ୍ରର ବାସ୍ନା ଖୋଜି

ଶୋଷ ଯୋଗୁଁ ଆତ୍ମ ହତ୍ୟା କରେ ।।

ତେଣୁ ମୁଁ ଘୁମେଇ ପଡ଼େ, ଅଷ୍ଟ୍ରିଚ ଭଳି,

ନ ଦେଖିବାକୁ ଝଡ଼ର ଆବେଗ ଓ ନିଜର ପତନ

ସ୍ମରଣକୁ ଟିକ୍ ଟିକ୍ ଚିରି ଦେଇ ମୋ ବଂଧୁଂକ

ଫାଇଲରେ ରଖି, ଦାଂତରେ ସୁନା ଖିଲ ମାରି,

ମୁଁ ପୁଣି ହସେ ।।

ଏବଂ କହେ, ମତେ ସିନା ପ୍ରଭୁ କଲ ଦିନର କଲମ,

ମୋ ଦେହରେ ଅଂଧକାର ସ୍ୟାହିଦ୍ୱାରା

ଚଢ଼ିବାରେ ଚେଷ୍ଟା କରି କେବଳ ଖସୁଚି,

ମୁହୂର୍ତର ଅବିରତ ଅସଂଖ୍ୟ ସୋପାନ ।।

Image

 

ନିର୍ଜନ ନଦୀର ନାମ

 

ଅପରୂପ କାରୁଣ୍ୟର ସୌଂଦର୍ଯ୍ୟରେ ବର୍ଷା ହେଲା,

ବର୍ଷା ହେଲା ହଠାତ୍ ସେଦିନ–

ମୁଁ ବେକୁବ୍ ଜଂଗଲରେ ବୁଲି ବୁଲି ତଥାପି ଖୋଜୁଚି

ଏକଦା ପ୍ରସ୍ଫୁଟିତ ଫୁଲଙ୍କର ଅପ୍ରତିଭମନ ।।

ଆକାଶରେ ଘନ ମେଘ, ପାଦତଳେ ଶୁଖିଲା ପ୍ରାନ୍ତର

ମୁଁ ମାଗିଲି, ହେ ବର୍ଷା, ବର୍ଷି ଯାଅ, ଏ ଦେହରୁ

ଦେହରେ, ଦେହରେ,

ଅସଂଖ୍ୟ ଶ୍ରାବଣର ଅନାୟତ୍ତ ଦୁର୍ନିବାର ଜଳ ।।

ଜଳାର୍ନବ ହେଉ ମୋର ଦେହ ମାଂସ, ରକ୍ତର କଣିକା

ଉଡ଼ିଯାଉ ମୋ ନାଆଁରୁ ରୂପଟିଏ ସଂପୂର୍ଣ୍ଣ ଏଥର ।

ମୁଁ ବେନାମ ହୋଇଯାଏ, ନାମର ବିହୀନ,

ସାଉଁଟି ଆଣିଲା ପରି, ସବୁ ରୂପ ସବୁ ସ୍ଥିତି,

ଅଂଧାରରୁ ଅଧିକ ଅଂଧାର–

ବାଦଲର ପଘାଟିଏ ଜହ୍ନକୁ ବେଢ଼ିଲା ପରି

ଏଇ ରୂପ ଆବଶ୍ୟକ ହୀନ ।।

ଚାରିଆଡ଼େ ଶୂନଶାନ ବେଳେ, ପବନରେ ଭାସି ଆସେ,

କିଏ ଜଣେ କାଂଦୁଚି ଦୂରରେ, ମୁକ୍ତି ଦିଅ,

ମୁକ୍ତି ଦିଅ ମତେ, ଜ୍ଞାନ ଏବଂ ଜ୍ଞାତ ସାର ଠାରୁ

ଫର୍ଦ ଫର୍ଦ ଅନୁଭୂତି ଆଜି ଚିରିଦିଅ

ମୁକ୍ତି ଦିଅ, ଅଜ୍ଞାନ ଓ ତା’ର ସଂତାପରୁ ।।

ଅନେକ ସମୟ ନେଇ ଇଚ୍ଛା କଲି, ଅଭିଳାଷ କଲି

ପରଂପରା ମୋ ବେକରେ ଝୁଲିରହେ ସାପଟିଏ ପରି,

ଅତୀତରେ ବର୍ତମାନ ଏବଂ ପୁଣି ବର୍ତମାନ ନାଚେ

ମାଗେ ରକ୍ତ ଅନୁନୟ କରି, ପୟାସର ସୋତ ସରେନାହିଁ ।

ଦିନ ରାତି ପହଁରି ପହଁରି ।।

କିଛିତ ବଦଳି ନାହିଁ, ଗଛଟିଏ ଯେଉଁଠି ସେଇଠି

ଦୌଡ଼ିଲା ପରି ଦିଶିଗଲା, ରେଳଗାଡ଼ି ଚାଲିଯିବା ବେଳେ,

ସେଇ ଭୟ, ଥତମତ ବିଶ୍ୱାସ ଓ ନୈରାଶ୍ୟର

କଣ୍ଢେଇ ଖେଳରେ, ବଂଚିବା ଆଖର ହେଲା

ଅଂଧାରରେ ଅନାବିଷ୍କାରରେ ।।

ସତ୍ୟକୁ ଲୋଡ଼ିବା ବଡ଼ କଷ୍ଟକର, ବିସ୍ମୟକର ବି,

ପାରଦର ବିଂଦୁଟିଏ ପରି, ଧରିବା ସଂଭବ ନୁହେଁ

ଭାବନାରେ କଂପୁଥିବା କ୍ଷୀଣ ପାପୁଲିରେ ।।

ତେଣୁ ବର୍ଷା, ବର୍ଷି ଯାଅ, ଅତୀତକୁ ଧୋଇନେଇ ଯାଅ,

ଅହଂକାରୀ ଉଗ୍ର ଲୋକଟିଏ, ଖସିପଡ଼ୁ,

ଘୋଡ଼ାର ସବାର ଜଣେ ପଡ଼ିଗଲା ପରି

ଦ୍ରୁତଗାମୀ କାଳଠୁ ପଛରେ ।

କହିବା, ଦେଖିବା ଏବଂ ଅଭିଜ୍ଞତା,

ଅତୀତର ତାତ୍ପର୍ଯ୍ୟରେ ଯେତେକ ଆଶଂକା

ବୁଡ଼ିଯାଂତୁ ଅକାତ ପାଣିରେ ।।

ମୁଁ କେବଳ ରହିଯିବି, ନାମହୀନ, ରୂପହୀନ,

ସ୍ୱାରର୍ଥର ବିହୀନ,

ଫୁଲଂକର ଶଯ୍ୟାଟିଏ ଗଢ଼ିବାକୁ ନିଜେ ଏକାଂତରେ

ହଂସଟିଏ ଖେଳୁଥିବ ନିର୍ମଳ ପାଣିରେ ।।

ମୁଁ ଗଢ଼ିବି, ଫୁଲଂକୁ ଏକାଠି କରି ଗୋଟିଏ ଦେଉଳ,

ଚହଲିଲା ନିଶ୍ୱାସରେ ମୋ ପ୍ରାଣର ଶଯ୍ୟା ତା’ ଭିତରେ

ବହୁଦିନୁଁ ବଂଦଥିବା ଝର୍କା ଖୋଲିଯିବ,

ପବନ ବହିବ–

ଦୀପଟିଏ ଜଳୁଥିବ ଦିକ୍ଦିକ୍

ସବୁ ଦୁଃଖ ସରିଯିବ

ସବୁ ସୁଖ ଅନ୍ତର୍ହିତ ହେବ

ସେ ଦୀପର ସ୍ଥିର ଆଲୁଅରେ ।।

 

ନଈରେ ଘର କୁଂଭୀରଡ଼ର

 

ସେ ଦିନ ଅବେଳ ଥିଲା,

ସଂଧ୍ୟାବେଳ ଥିଲା;

ତମ ଶାଢ଼ୀ ଅଧା ଏବଂ କିଛି କିଛି ଓଦା

ଆକାଶରେ କିଛି ନାଲି,

ଅଧିକାଂଶ କଳା-

ତମ ଦୁଇ ପାଦ ମଝି ଖାଲି

ଜାଗାଟାରେ ସମୟ ନାଚିଲା ।

ସେ ନାଚ ଏମିତି ଯେ–

ଚାଲୁଥିବା ଜହ୍ନଟିଏ ଗତି ମୂକ୍ତ ହେଲା ।।

ମୋ ଦେହର ରକ୍ତ ସବୁ

ନିଆଁ ପହଁରିଲେ–

ତା’ପରେ ମୋ ମନେ ନାହିଁ,

ତମ ପାଦ ଦୁଇ ମଧ୍ୟବର୍ତୀ

ଖାଲି ଥିବା ସ୍ଥାନ-

ହେଲା ଜଳପୂର୍ଣ୍ଣ

ନଈଟିଏ ପରି ବହିଗଲା–

ଆମେ ତାକୁ କହିଲେ ଜୀବନ ।।

ସେ ନଈ ଭିଜାଉଲା ଅନେକ ଅଂଚଳ

ଯେଉଁଠି ବସିଲେ ବଗ,

ଅନାହୂତ ଦିନ ସମୂହର–

ମାଛ ଚାଷ କରାଗଲା–

ବିରହ ଓ ମିଳନର–

ତୃଷାର୍ତ୍ତ ବଣ ହାତୀମାନେ

ରାତି ଅଧେ ଉପଦ୍ରବ କଲେ–

ଆମେ ସେଠି ବସାଇଲେ ଘର

ମାଟିକୁ ଏକାଠି କରି ନିଜ ସଂପର୍କରେ ।।

ସଂପର୍କ ବଢ଼ିଲା କ୍ରମେ

ବଡ଼ ଦୁଷ୍ଟ ହେଲା;

ବୟସର ଟେକା ମାରି

ମୁଂଡ଼ ଫଟାଇଲା ।।

ଦିନକର–

ମୁଁ ଶୋଇଥିଲା ବେଳେ ତମ

କାଖ ପାଖ ତଂବୁର ଭିତରେ

ସେ ସଂପର୍କ ବୁଲାଇଲା

ମତେ ନେଇ ନିଷିଦ୍ଧ ଅଂଚଳ-

ମୁଁ ଯେଣୁ ହାତ ଖୋଲା ଲୋକ

ବୁଲିଲି ଅନେକ–

ବହୁତ ଡେରିରେ ଫେରି ଜାଣିଲିଯେ,

କୁଂଭୀରଂକ ପଡ଼ିଚି ଆତଂକ ।।

ତା’ ପରେ–

ସବୁ ଶୂନ୍ଶାନ, ସବୁ ଚୁପ୍ଚାପ୍

ଗଛ ମାନଂକରେ ଆଉ ପତ୍ର ନାହିଁ-

ରଂଗ ଶୁଖିଲାଣି ସବୁ ଫୁଲଂକ ଦେହରୁ

ଆଉ ତମ ନାହି ଚାରିପାଖେ,

କା’ କା’ ଶୁଭୁନାହିଁ କୁଆଂକର

ଭୋର ପହରରେ ।।

ସେଇ ମୁହୂର୍ତରୁ–

ତମେ ନୁହଁ କା’ର ସ୍ତ୍ରୀ,

କାହାର ପ୍ରେମିକା ।

ତମେ ଖାଲି ଜଣେ ନାରୀ

ହଜାଇଲ ସ୍ଥିତିର ସଂଧାନ

ମୋ ସମଗ୍ର ପୁରୁଷାର୍ଥ

ଏକ ଖାଲି ସ୍ଥାନ

ବିପର୍ଯ୍ୟସ୍ତ ସହରର

ପରିତ୍ୟକ୍ତ ଘର ପାଖ ବିକୃତ ଅଗଣା ।।

 

ଉତ୍ତରାୟଣ

 

ମୋ ମୃତ୍ୟୁର ମୁହୂର୍ତେ ପୂର୍ବରୁ

ଅତୀତ ଓ ବର୍ତମାନ ମୁହଁ ଦେଖି

ଭବିଷ୍ୟତ ଭଂଗା ରୁଜା ଅନେକ କାଚରେ

ମୁଁ ତୋଳିଚି ଜନ୍ମ ବାଲିଘର ।।

କୌଣସି ଦୂରଂତ ଶବ୍ଦ

ପ୍ରତିଧ୍ୱନି ପଛେ ପଛେ ବୁଲି

ଇତିହାସ ତଳୁ ଖୋଜି

ଶତାବ୍ଦୀର ଅଚେତନ ମନ

ମୋ ଦୃଷ୍ଟିର ଇଂଦ୍ରିୟରେ

ମୁଁ ଖୋଜୁଚି ମତେ ଆଜି

ମୋର ମୁଁ–କୁ ।।

ନିସ୍ତେଜ ହା ହାକାର

ଶୂନ୍ୟର ଦୂରତ୍ୱ ତଳେ

ଫିଂଗି ଏକ ରିକ୍ତ ଦୀର୍ଘଶ୍ୱାସ

କାମନାର ସମାପ୍ତିରେ

ନିର୍ବାଣ ଓ ପରମାତ୍ମା ଦୋଳନ ଭିତରେ ।।

 

ଅଂଧାର ରାତିର ଦୃଶ୍ୟ

 

ମୁଁ କିଏ... ?

ତମେ କିଏ... ??

ଏବଂ ଆମେ କିଏ... ???

ମୁଁ ସେଇ ଭଦ୍ରଲୋକ... ।

ସୂର୍ଯ୍ୟର ମଶାଣି ଆଡ଼ୁ ଡେଇଁ ଡେଇଁ

ବ୍ୟକ୍ତିଗତ ନିଭୃତତା ଜ୍ୱଳଂତ ନିଆଁରେ

ଇପ୍ସାର ଉପାଂତରେ ଚିରି କେତେ ମାନମୟ

ରେଖା, ବ୍ୟସ୍ତତାର ହୋରିଖେଳି,

ପାହାଡ଼, ପାହାଡ଼, କେତେ ଲୋଚାକୋଚା କଂବଳରେ

ମୋଠାରେ ଗଚ୍ଛିତ ନଗ୍ନତା ଓ ଅସାମାଜିକତାକୁ

ଘୋଡ଼ାଇ, ଲୁଚାଇ, ଆଶାର ମଶିଣା ପାରି

ମୁଁ ଦେଉଚି ଆଦର୍ଶର ସ୍ନେହମୟ ବାଣୀ

ଯେମିତି ନିଭୃତ ଏକ ଗଡ଼ଜାତି ଘଂଚ ଜଂଗଲରେ

ବୁଢ଼ା ବାଘ ହାଇ ମାରେ, କପାଳରେ ଚିତା ଓ ଚଂଦନ ।।

ଏ ଅଂଧାର ନିର୍ଜନରେ

ରୁଣୁ ଝୁଣୁ ହେଲା କା’ର କାଚ

ବତୀ ମୁଁ କମାଇଦିଏ, କାଚ ଭଂଗା

କଳା ଲଂଠନରେ, ନିଜେ ମୁଁ ସତର୍କ ହୁଏ

କାଳେ କିଏ ଦେଖି ଦେଇଥିବ ।।

ବ୍ୟକ୍ତିଗତ ସ୍ୱାର୍ଥତାର ଅଂକ କଷି,

ବିବେକ ଓ ଆଦର୍ଶକୁ ବାରମ୍ବାର

ପ୍ରବଂଚନା ଦେଇ, ମୁଁ ଠକିଚି ଅନେକଂକୁ

ଅନେକ ବାର ବି, ନିଜେ ସେଇ ଠକାମିରେ

ବିଶ୍ୱାସ କରିଚି ।।

ତେଣୁ ଆଜି ବଂଦ କର

ସ୍ୱାର୍ଥ ତ୍ୟାଗ, ନୀତି ଏବଂ ଆଦର୍ଶର ଚରଚା

ହେ ପଂଡ଼ିତ ! ନୀତିବାଦୀ ଯେତେ ଜ୍ଞାନୀ-

ପଦବୀ ଓ ବାହାବା ସାବାସ୍ ଆଶାରେ

ବାସ୍ତବତା ବହୁମୁଖୀ ତମେ ତାର ଜ୍ୱଳନ୍ତ ନମୁନା

ନିଜର ନିଚ୍ଛକ ରୂପ ନିଜେ ଜାଣ ଗ୍ଲାନି ନାହିଁ ସତ୍ୟ ସ୍ୱୀକାରରେ

ଆସ ଆଜି ମାନିନେବା, ଆମେ ନୁହେଁ ଯାହା ଦେଖାଯାଏ,

ଆମ ଭିତରର ରୂପ, ଜଣା ଶୁଣା ତମ ଇମେଜର

ସଂପୂର୍ଣ୍ଣ ଓଲଟା ।।

ଆମେ ଯେତେ ସଇଚିତ୍ର ସାଧୁ ସନ୍ଥ ନୀତିବାଦୀ ସବୁ,

ସଭାରେ ଭାଷଣ କରୁ, ସ୍ଖଳନ ଓ ମିଛ ବିରୁଦ୍ଧରେ

ଆଦର୍ଶର ଚରଚା କରୁ, ମିଠାକଥା ଦେଖାହେଲେ କହୁ

ସେ ସବୁ ନିଖୁଣ ଛବି, ଆୟୋଜିତ ଚେତନ ମନର

ହୁଏତ ଏ ଦର୍ଶକକୁ ମୁଗ୍ଧ ଓ ଖୁସି କରିପାରେ ।

ଏ କଥା ନିଶ୍ଚିତ ସତ୍ୟ...

ଆମେ ସବୁ ମୂର୍ତୀମଂତ ସ୍ୱାର୍ଥତାର ପ୍ରତିଛବି

ଜଣେ ଜଣେ ସେ ଗୋଷ୍ଠୀର ଜୀବଂତ ପ୍ରତୀକ

ଟିକ୍ ଟିକ୍ ସେକେଂଡ଼୍ ଓ ମିନିଟ୍ ସୁଅରେ

ଫର୍ଦ ଫର୍ଦ ଉଡ଼ିଯାଏ ମିଛ ଆବରଣ,

ନିଜର ବିକାର ରୂପ ପଢ଼ିହୁଏ ଅତି ସହଜରେ ।।

ନୀତିର ବାଗ୍ମିତା ଆମ ଜଣାଯାଏ ଜହ୍ନରାତି ପରି

ଯଦିଓ ସତରେ ଆମେ ଡାହାଣୀ ଆଲୁଅ,

ଗାଢ଼ କଳା ଉଆଁସ ରାତିର ।

ଗୋଡ଼ରେ ନଥାଇ ମୁଦି ତୁଚ୍ଛାଟାରେ

ନାଚିବାର ପ୍ରହସନ କରିବା ଅପେକ୍ଷା

ଚୁପ୍ ଚାପ ଠିଆ ହୋଇ ଢେଉ ମତେ ଗଣିବାକୁ ଦିଅ ।।

Image

 

ନିଜ କବିତା ସଂପର୍କରେ

 

ରୂପଟିଏ କେବେ କେବେ ହଠାତ୍ ଦେଖା ଦେଇ ପୁଣି ଲୁଚିଯାଏ । ଲାଗେ, ନିଜର ଅଜାଣତରେ କିଏ ଜଣେ ଯେମିତି ଦେଖୁଚି । ତା ଦେଖିବାର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ବା ସମୟ ନାହିଁ । ସଂଧ୍ୟାବେଳେ ଏକା ବସି ଖବରକାଗଜ ବା କୌଣସି ପତ୍ରିକା ଘାଂଟୁଥିବା ବେଳେ କିଂବା ବହୁ ଦୂର ସ୍ଥାନକୁ ଯିବାଲାଗି ଟ୍ରେନକୁ ଅପେକ୍ଷାକରି ହଂତସଂତ ହେଉଥିବା ସମୟରେ ବା ଉପରିସ୍ଥ କର୍ମଚାରୀଂକଠାରୁ ଗାଳିଖାଇ ମୁହଁ ପୋତି ଫେରିବା ବାଟରେ ସେଇ ରୂପ ଆପେ, ଆପେ ଦିଶିଯାଏ । ସେ ଏକ ଭାବରୂପ । କ୍ରମଶଃ ତା ସ୍ପଷ୍ଟତର ହୁଏ । ତା’ର କଥା ଶୁଣିହୁଏ । କଥାର ଗତି ଏତେ ଦୃଢ଼ ଏବଂ ପ୍ରଖର ଯେ ତାକୁ ଶୁଣି, ବୁଝି, ନିଜର କରୁ କରୁ ସେ ପୁଣି ଅପସରି ଯାଏ । ଯେତିକି ଧରି ରଖି ହୁଏ ତାକୁ ଭାଷା ପିଂଧାଇଲେ, ସେ ହୁଏ କବିତା । କବିତା ଭାବ-ପ୍ରଧାନ । ଅନ୍ୟ ଯେ କୌଣସି କଳା ପରି ଏହାର ଉତ୍କର୍ଷତା ବା ଉତ୍କୃଷ୍ଟତା ତା’ର ଆବେଦନର ଚିରଂତନତା ଉପରେ ନିର୍ଭର କରେ । ଭାଷାଂତରରେ, ପ୍ରତ୍ୟେକ କଳା ସୃଷ୍ଟିର ଆବେଗ ଓ ଆବେଦନରୁ ଗଭୀରତାରେହିଁ ତା’ର ସ୍ଥାୟୀତ୍ୱ । କବିତାର ପ୍ରାଣ ହିଁ ତାର ଅଂତର୍ନିହିତ ଚେତନା । ଚେତନା, ନିତ୍ୟସତ୍ୟ (ମାନବିକ ସତ୍ୟ) ଓ ତାର ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ । ନିତ୍ୟ ସତ୍ୟ ହିଁ ଚିରଂତନ ସତ୍ୟ । ତେଣୁ ଚେତନା ସର୍ବଦା ଚିରଂତନ । (କେତେକ ସମୟରେ ଏହି ନିତ୍ୟ ସତ୍ୟ ସହିତ ସାମାଜିକ ସତ୍ୟର ଅସାମଂଜସ୍ୟତା ଘଟିପାରେ) ।

 

ଭାସମାନ ଭାବରୂପ ଜଗତରୁ କବି, ସାହିତ୍ୟିକ ବା କଳାକାର ସେଇ ଚେତନାକୁ ଉପଲବ୍ଧି କରେ, ଅନୁଭବ କରେ । ନିଜ କଳା ବା ଲେଖା ମାଧ୍ୟମରେ ତାକୁ ପ୍ରକାଶ କରେ । ତେଣୁ କୌଣସି କଳା ସୃଷ୍ଟିରେ ସନ୍ନିବେଶିତ ଭାବ (ବା ମେଶେଜ୍), ଏକ ଦୃଷ୍ଟିକୋଣରୁ ବିଚାର କଲେ, ସ୍ରଷ୍ଟାର ନିଜର ନୁହେଁ । କିଂତୁ ସେଇ ଭାବ ଆହରଣ, ଗ୍ରହଣ ଉପଲବ୍ଧି ଏବଂ ପ୍ରକାଶ ଶକ୍ତି ସ୍ରଷ୍ଟାର ନିଜସ୍ୱ । ନିଜର ସୂକ୍ଷ୍ମ ରୂପକୁ ଆବିଷ୍କାର କରିବା ଲାଗି ସ୍ଥୂଳ ଶରୀର ଓ ଜୀବନ ଆବଶ୍ୟକ । ସୂକ୍ଷ୍ମ ଭାବକୁ ଶବ୍ଦ, ଚିତ୍ର ଇତ୍ୟାଦି ସ୍ଥୂଳ ମାଧ୍ୟମରେ ପ୍ରକାଶ କରି ତାକୁ ଅନ୍ୟକୁ ଉପଲବ୍ଧି କରାଇବା ପ୍ରତ୍ୟେକ କଳା ବା ସାହିତ୍ୟ ସୃଷ୍ଟିର ଶ୍ରେଷ୍ଠ ଏବଂ ବୋଧହୁଏ ଚରମ ଲକ୍ଷ୍ୟ । ତେଣୁ କଳାକାର ହିସାବରେ ଜଣେ କବି ଏବଂ ତାର କବିତା କେବଳ ଗୋଟିଏ ମାଧ୍ୟମ ଏକ ଯୋଗସୂତ୍ର । ତେଣୁ କେହି କବି ଯଦି କହେ, ଯେ ସେ କେବଳ ନିଜପାଇଁ, ନିଜର ସୌଖୀନ ବା ବିଳାସପାଇଁ କବିତା ଲେଖୁଚି, ତେବେ (ଅଂତତଃ ମୋ ମତରେ) ସେପରି କହିବା ଭୁଲ୍ ହେବ ।

 

ଏଇ ସଂକଳନରେ ସନ୍ନିବେଶିତ କବିତାରେ ମୁଁ ସେଇ ଚେତନା ଆଡ଼କୁ ଇଂଗିତ ଦେଇଚି କେବଳ । ତାକୁ ପ୍ରାଜଂଳ ଭାବେ ଉପସ୍ଥାପନା କରିବାରେ ମୁଁ କେତେଦୂର ସଫଳ ସେ କଥା ପାଠକ ହିଁ ନିର୍ଧାରଣ କରିବେ । ମୋର ବ୍ୟକ୍ତିଗତ ମତରେ କୌଣସି କଳା ସୃଷ୍ଟିରୁ ନୂତନତା, ଆଧୁନିକତା ବା ପୁରାତନତାର ଛାପା ମାରିବା ଏକ ବିରାଟ ଅପଚେଷ୍ଟା । କାରଣ ଚେତନା ସର୍ବଦା ଉପସ୍ଥିତ ଏବଂ ଚିରଂତନ । ସମସାମୟିକ ସାହିତ୍ୟ ସୃଷ୍ଟିରେ ବର୍ତ୍ତମାନ ଜୀବନର ଯେଉଁ ନିସଂଗତା ବିଚ୍ଛିନ୍ନତା, ସ୍ୱାର୍ଥ-ସର୍ବସ୍ୱ ଜୀବନର ଅଳୀକତା ବା ମୃତ୍ୟୁ ଚେତନା ପରିଲକ୍ଷିତ ହୁଏ, ତାକୁ ଆଧୁନିକ ଚିଂତା ବୋଲି ଆଖ୍ୟାୟିତ କରିବା ଠିକ୍ ହେବ ନାହିଁ । ଏଇ ପ୍ରକାର ଚେତନା ସବୁ ସମୟର ଓ ସବୁ ଭାଷାର ଲେଖାରେ ରହିଚି । ପରିବର୍ତ୍ତନ ହୋଇଚି କେବଳ ଭାଷା ବା ପ୍ରକାଶ ଭଂଗୀରେ ।

 

ଏଇ ବହିରେ ସ୍ଥାନ ପାଇଥିବା ସବୁ କବିତା, ୧୯୭୭ ପରଠାରୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ସାରିଚି । ସେ ସବୁକୁ ଏକାଠି କରି ସଂକଳନ କରିବାର ଉତ୍ସାହ ଲାଗି ମୋର ସ୍ତ୍ରୀ ଓ ବଂଧୁ ସରୋଜ କୁମାର ମିଶ୍ରଂକୁ ବହୁ ଧନ୍ୟବାଦ । କବି ବଂଧୁ ଶ୍ରୀ କମଳା କାଂତ ଲେଂକା ଏବଂ ପ୍ରକାଶକ ଶ୍ରୀ ସହଦେବ ପ୍ରଧାନଂକ ସାହାଯ୍ୟ ବିନା ଏ ସଂକଳନ ସଂଭବ ହୋଇ ନ ଥାଂତା । ସେମାନଂକ ନିକଟରେ ମୁ ଋଣୀ ।

 

–ନୃସିଂହ ପ୍ରସାଦ ତ୍ରିପାଠୀ

Image